fbpx

ଦେବାଶିଷଙ୍କ କଂଗ୍ରେସ ସହ ମେଣ୍ଟ ବୟାନ ପରେ ଧୋଇଲେ ମୋକିମ୍

ଭୁବନେଶ୍ୱର: ବିଜେଡି ସାଂସଦଙ୍କୁ କଂଗ୍ରେସ ଚାପୁଡା । ବାଏଁ ବାଏଁ ବିଜେଡିର ମେଣ୍ଟ ସୁପାରିଶକୁ କଂଗ୍ରେସର ପ୍ରତ୍ୟାଖ୍ୟାନ । ସାଙ୍ଗରେ କଂଗ୍ରେସ ନେତା ଖୋଲିଦେଲେ ବିଜେଡି କଛା । ଯାହା ରାଜ୍ୟ ରାଜନୀତିକୁ ଉଷ୍ଣ କରି ଦେଇଛି । କଂଗ୍ରେସର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ମହମ୍ମଦ ମୋକିମ କହିଛନ୍ତି, କ୍ଷମତାରୁ ବିଜେଡି ଯାଇଛି ହେଲେ ହ୍ୟାଙ୍ଗଓଭର ଯାଇନି । ପାରାଦୀପର କୁଜଙ୍ଗରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଦେଇଥିବା ବୟାନ ଉପରେ ଏମିତି କହି ତାତ୍ସଲ୍ୟ କରିଛନ୍ତି ମୋକିମ ।

କୁଜଙ୍ଗ ସଭାରେ ସାମନ୍ତରାୟ କହିଥିଲେ, ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବସିଥିବା ବେଳେ ସେ କୁଆଡେ କହିଥିଲେ ଆପଣ ବାଇ ଇଲେକ୍ସନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ୭ ବିଜେପି ବିଧାୟକ କଟିଯିବେ । ଆପଣ ଖାଲି ହାତ ହଲେଇ ଦେଲେ ଭୋଟ ବର୍ଷିବ ହେବ । ଆମେ ୬୦ ଅଙ୍ଗ ଛୁଇଁ ସରକାର ଗଢିବା । ଯଦି ଦରକାର ହୁଏ କଂଗ୍ରେସ ସହ ମଧ୍ୟ ହାତ ମିଶେଇବା । କ୍ଷମତାରୁ ଯିବା ପରେ ଜନସମାବେଶରେ ନିଜ ହାତରେ ପୁଣି ମାକ୍ରୋଫୋନ ଦେଖି ହୁଏତ ଫୁଲ ଜୋସକୁ ଆସିଯାଇଥିଲେ । ତେଣୁ ତାଙ୍କ ବୟାନରେ ନବୀନ ନିବାସରେ ପାଣ୍ଡିଆନ ଉପସ୍ଥିତ କଥା ମଧ୍ୟ ସର୍ବସାଧାରଣରେ କହିଦେଇଥିଲେ ।

ରୁଷି ସାମନ୍ତରାୟଙ୍କ ଏମିତି ବୟାନ ପରେ ମୋକିମ ରୁଷିଙ୍କ ସହ ବିଜେଡିକୁ ଖୁବ ଧୋଇଛନ୍ତିି । ବିଜେଡିର କ୍ଷମତା ହ୍ୟାଙ୍ଗଓଭର ଯାଇନି । ରାଜ୍ୟସଭାରୁ ୨ ବିଜେଡି ସାଂସଦ ବିଜେପିରେ ମିଶି ସାରିଲେଣି । ପ୍ରାୟ ୩୦ ବିଧାୟକ ବିଜେପିରେ ଯୋଗ ଦେବାକୁ ସଜହୋଇସାରିଛନ୍ତି । ହେଲେ କ୍ଷମତା ନିଶା ଛାଡିନି ବିଜେଡିର ବୋଲି କହିଥିଲେ ମୋକିମ । ତା ସାଙ୍ଗକୁ କହିଥିଲେ, ମୁଁ ଭାବୁଥିଲି ପାଣ୍ଡିଆନ୍ ସନ୍ୟାସ ନେଇ ତାମିଲନାଡୁ ଚାଲିଯାଇଛନ୍ତି । ହେଲେ ସେମିତି ହୋଇନି । ଆଜି ମଧ୍ୟ ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି, ଯାହା ତାଙ୍କ ସାଂସଦଙ୍କ ବୟାନରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ମୋକିମ ।

ସେପଟେ ଦେବାଶୀଷଙ୍କ ଏହି ବୟାନକୁ ନେଇ ବିଜେପି କହିଛି, ବିଜେଡି ଦିବାସ୍ୱପ୍ନ ଦେଖୁଛି । ଜଳ ବିହୁନେ ମାଛ ପରି ଅବସ୍ଥା ହୋଇଛି ବିଜେଡିର କହିଛି ବିଜେପି ।

Get real time updates directly on you device, subscribe now.