fbpx

ରାଧାଷ୍ଟମୀରୁ ଶୟନନୀତିରେ ଥିବା ମାଆ କଟକ ଚଣ୍ଡିଙ୍କୁ ମୂଳାଷ୍ଟମୀରେ କରାଯାଏ ଜାଗ୍ରତ

କଟକ: ୧୨ ମାସରେ ତେର ପୂଜା ଭଳି ମାଆ କଟକ ଚଣ୍ଡିଙ୍କର ଅନେକ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ତେବେ ଆଜି ମୂଳାଷ୍ଟମୀ । ରାଧାଷ୍ଟମୀରୁ ଶୟନନୀତିରେ ଥିବା ମାଆ କଟକ ଚଣ୍ଡିଙ୍କୁ ମୂଳାଷ୍ଟମୀରେ ଜାଗ୍ରତ କରାଯାଏ । ମାଆ କଟକ ଚଣ୍ଡିଙ୍କ ପୂଜକମାନେ ଗଡଗଡିଆ ଘାଟକୁ ଯାଇ ପୂଜାର୍ଚ୍ଚନା କରି ଘଟ ଆଣି ମାଆ କଟକ ଚଣ୍ଡିଙ୍କ ମନ୍ଦିରରେ ସ୍ଥାପନ କରନ୍ତି । ଏହାପରେ ଆରମ୍ଭ ହୁଏ ଷୋଡଶ ପୂଜା । ଆଜି ଶ୍ରୀମନ୍ଦିରରେ ମଧ୍ୟ ଷୋଳପୂଜା ଆରମ୍ଭ ହେବ । ମଙ୍ଗଳବାର ସହସ୍ର କୁମ୍ଭାଭିଷେକ, ଦେବୀ ଉତ୍ଥାପନ ନୀତି ଶେଷ ପରେ ମାଆ ବିମଳାଙ୍କ ମନ୍ଦିରରେ ଷୋଳପୂଜା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହେବ ।

ପରମ୍ପରା ଅନୁଯାୟୀ, ମାଆ କଟକ ଚଣ୍ଡିଙ୍କ ପୂଜକମାନେ ଏବଂ ସେମାନଙ୍କ ପରିବାର ଲୋକେ ମୂଳାଷ୍ଟମୀରୁ ମହାଦଶମୀରେ ଘଟ ବିସର୍ଜନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିଷ୍ଠାରେ ରୁହନ୍ତି । ମାଆ କଟକ ଚଣ୍ଡି ନିଜେ ଭୁବନେଶ୍ୱରୀ ହୋଇଥିବାରୁ ଭୁବନେଶ୍ୱରୀ ବେଶରୁ ତାଙ୍କର ବେଶ ନୀତି ଆରମ୍ଭ ହୁଏ । ମୂଳାଷ୍ଟମୀର ପରଦିନ ମାଆଙ୍କର ସୁନାବେଶ ହୋଇଥାଏ । ଏହାପରଠାରୁ ଷୋଡଶ ଉପଚାର ବେଶ ଭୁବନେଶ୍ୱରୀ ବେଶରୁ ଆରମ୍ଭ ହୁଏ । ବିଜୟାଦଶମୀରେ ମାଆଙ୍କର ମହିଷାମର୍ଦ୍ଦିନୀ ବେଶରେ ମାଆଙ୍କ ବେଶ ନୀତି ଶେଷ ହୁଏ ବୋଲି ପୂଜକ ପ୍ରତିନିଧି କହିଛନ୍ତି ।

Get real time updates directly on you device, subscribe now.