fbpx

ICC ରାଙ୍କିଙ୍ଗ୍; ଟପ୍‌ରେ ରହିଲେ ଯଶସ୍ୱୀ-ପନ୍ତ, ନିରାଶ ହେଲେ ବିରାଟ-ରୋହିତ

ମୁମ୍ୱାଇ: ଆଇସିସି ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଉଭୟ ଭାରତୀୟ ସୁପରଷ୍ଟାର ସଦ୍ୟତମ ମାନ୍ୟତା ମଧ୍ୟରେ ଟେଷ୍ଟରେ ୫-୫ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ ମାନ୍ୟତାରେ ଉନ୍ନତି ଆଣିଛନ୍ତି। ଏହାବ୍ୟତୀତ ଋଷଭ ପନ୍ତ ଟେଷ୍ଟ ମାନ୍ୟତାରେ ଜୟସ୍ୱାଲଙ୍କ ଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ରହିଛନ୍ତି। ଜୟସ୍ୱାଲ ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ତିନୋଟି ଫର୍ମାଟ୍ ରାଙ୍କିଙ୍ଗ୍ ରେ ଟପ୍-୫ ମଧ୍ୟରେ ରହିଛନ୍ତି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ୫ ସ୍ଥାନ ତଳକୁ ଖସି ୭୧୬ ପଏଣ୍ଟ ସହ ୧୦ ନମ୍ବର ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ବିରାଟ କୋହଲି ୫ ସ୍ଥାନ ତଳକୁ ଖସି ୭୦୯ ପଏଣ୍ଟ ସହ ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଟେଷ୍ଟ ମାନ୍ୟତାରେ ଏକ ନମ୍ବରସ୍ଥାନରେ ରହିଛନ୍ତି। ରୁଟ୍ ଙ୍କ ୮୯୯ ପଏଣ୍ଟ ରହିଛି। ଏହାବ୍ୟତୀତ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା ୨ ନମ୍ବର ଏବଂ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଥିବା ବେଳେ ଶୁବମନ ଗିଲ ତୃତୀୟ ସ୍ଥାନରେ ରହିଛନ୍ତି। ଏଠାରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବରସ୍ଥାନରେ ରହିଛନ୍ତି।

ବାକି ଟି-୨୦ ଅନ୍ତର୍ଜାତୀୟ ବ୍ୟାଟିଂ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ୮୮୧ ରେଟିଂ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଏହାପରେ ସୂର୍ଯ୍ୟକୁମାର ଯାଦବ ୮୦୫ ରେଟିଂ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ପରେ ଇଂଲଣ୍ଡର ଫିଲ୍ ସଲ୍ଟ ତୃତୀୟ ଏବଂ ଭାରତର ଯଶସ୍ୱୀ ଜୟସ୍ୱାଲ ୭୫୭ ରେଟିଂ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଠାରେ ପାକିସ୍ତାନ ଅଧିନାୟକ ବାବର ଆଜମ ୭୫୫ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଟେଷ୍ଟର ବୋଲିଂ ରାଙ୍କିଙ୍ଗରେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮୭୧ ରେଟିଂ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଏହାପରେ ଯଶପ୍ରୀତ ବୁମ୍ରା ୮୫୪ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ୱାନ୍ ଡେ ବୋଲିଂ ରାଙ୍କିଙ୍ଗ ଉପରେ ନଜର ପକାଇଲେ ଭାରତର କୁଲଦୀପ ଯାଦବ ୬୬୫ ରେଟିଂ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ୱାନ୍ ଡେ ବୋଲିଂ ରାଙ୍କିଙ୍ଗରେ କୁଲଦୀପ ଏକମାତ୍ର ଭାରତୀୟ ଭାବେ ଟପ୍-୫ ରେ ରହିଛନ୍ତି। ସେହିପରି ଟି-୨୦ ଅନ୍ତର୍ଜାତୀୟ ବୋଲିଂ ରାଙ୍କିଙ୍ଗରେ କୌଣସି ଭାରତୀୟ ବୋଲର ଟପ୍-୫ ମାନ୍ୟତାରେ ସ୍ଥାନ ପାଇନାହାନ୍ତି।

Get real time updates directly on you device, subscribe now.