fbpx

ଭରତପୁର ଥାନା, ଭାତ ହାଣ୍ଡିରୁ ଗୋଟିଏ: ଡିଜିଙ୍କ ତାଗିଦରୁ ସ୍ପଷ୍ଟ

ଭୁବନେଶ୍ୱର: ଭରତପୁର ଥାନା ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ କରିଛି । ଏହି ଘଟଣା ପରେ ରାଜ୍ୟ ଡିଜିପି ନିଜ ବିଭାଗ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି । ଏଥିସହ  ଏକ ଚିଠି ସମସ୍ତ ଜିଲ୍ଲା ହେଡକ୍ୱାଟରକୁ ଇସୁ କରିଛନ୍ତି । ଏହି ଚିଠି ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ କେମିତି ଭ୍ରଷ୍ଟାଚାର ଓ କଳଙ୍କରେ ଲିପ୍ତ ଏହି କଥା ସାର୍ବଜନୀନ ହୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଦେଖାଦେଇଛି ଉଦବେଗ । ଏଥିପାଇଁ ସମସ୍ତେ ପୂର୍ବ ସରକାରୁ କରୁଛନ୍ତି ଦାୟୀ ।

୨୪ ସେପ୍ଟେମ୍ବରରେ କଟକ ପୋଲିସ ହେଡକ୍ୱାଟରରୁ ଏଡିଜି ସଞ୍ଜୟ କୁମାରଙ୍କ ଦସ୍ତକ୍ଷତ ସମ୍ବଳିତ ଏକ ପତ୍ର ସମସ୍ତ ଆଇଜିପି, ଡିଆଇଜିପି ଓ ସିପି, ଭୁବନେଶ୍ବରଙ୍କୁ କରାଯାଇଛି । ଏଥିରେ ସ୍ପଷ୍ଟରୂରେ ଉଲ୍ଲେଖ କରାଯାଇଛି କି, ଏସପି ହେଡକ୍ୱାଟର ଜାଣିବାକୁ ପାଇଛି କି, ଡିପାର୍ଟମେଣ୍ଟର କିଛି ଫିଲ୍ଡ ଅଫିସର ନିଜ ଡ୍ୟୁଟିକୁ ଛାଡି ପରିବହନ ଓ ଅନ୍ୟ ଅନଧିକାରୀ କାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଛନ୍ତି । ମୁଖ୍ୟତଃ  ମାଇନିଂ, ରିଅଲିଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଆକ୍ଟିଭିଟିରେ ଅଧିକ ଆକ୍ଟିଭ ରହୁଥିବା ଜଣାପଡିଛି, ଯାହାକୁ ନେଇ ଡିଜିପି ଚିନ୍ତା ପ୍ରକଟ କରିଥିବା ଉଲ୍ଲେଖ କରିବା ସହ ଏମିତି କାମରୁ ଓହରି ନଗଲେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି ରୋକଠୋକ କହିଛନ୍ତି ।

ତେବେ ଏହି ଚିଠି ପଦାକୁ ଆସିବା ପରେ ବୁଦ୍ଧିଜୀବୀ ଏହାକୁ ନେଇ ପୂର୍ବ ସରକାରକୁ ନିଶାନା କରୁଛନ୍ତି । ନବୀନ ସରକାର ଅମଳରେ ପୋଲିସ ସରକାର ତଥା ସରକାରୀ ଦଳର ହାତ ବାରିସି ସାଜି ଲୋକଙ୍କ ପ୍ରତି ଥିବା ତାର ଦାୟିତ୍ୱବୋଧକୁ ଭୁଲି ଯାଇ ଅପରାଧିକ ତତ୍ତ୍ୱ ମାନଙ୍କୁ ସୁରକ୍ଷା ଦେଉଥିଲା ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା, ୨୦୧୯ରୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଏକ ଫାଇପ ଟି ବିଭାଗର ସର୍ଜନା କରି ତା ଅଧୀନରେ ସବୁ ବିଭାଗକୁ ନେଇଆସି ନବୀନଙ୍କ ତକ୍ରାଳୀନ ବ୍ୟକ୍ତିଗତ ସଚିବଙ୍କୁ ତାର ସବୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ୫ଟି ନାଁରେ ପାଣ୍ଡିଆନ ଓ ତାଙ୍କ ଅଧୀନରେ ଚାଲିଥିବା ତୃତୀୟ ମହଲାର ପୋଲିସ ବାବୁ ଓ ଅନ୍ୟ କିଛି ଅଧିକାରୀ ବସି ପୁରା ପୋଲିସ ସିଷ୍ଟମକୁ ହାଇଜାକ କରିନେଇଥିଲେ ।

ବିଜେଡିର ପୋସା, ଏହି ବାବୁମାନଙ୍କ ଦ୍ୱାରା ରାଜ୍ୟ ପୋଲିସ ପରିଚାଳିତ ହେଉଥିଲା । ଏମାନଙ୍କ କ୍ଷମତା ଆଗରେ ମୁଖ୍ୟଶାସନ ସଚିବ, ଡିଜିପି ମଧ୍ୟ ଗୌଣ ହୋଇଯାଇଥିଲେ । ତେଣୁ ଏମାନଙ୍କ ନିର୍ଦ୍ଦେଶ ମୁତାବକ ପୋଲିସ ପ୍ରଶାସନ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଥିଲା ବୋଲି ବୁଦ୍ଧିଜୀବୀ କହୁଛନ୍ତି । ଏହା ବ୍ୟତୀତ ଏସପି, ଇନସ୍ପେକ୍ଟରଙ୍କ ପରି ଅଧିକାରୀ ଗୋଚାଲାଣ, ମାଇନମାଫିଆ, ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ସହ ଭାବ ପିରତି ରଖି ବଟି ଆଦାୟରେ ବ୍ୟସ୍ତ ରହୁଥିଲେ । ବୁଦ୍ଧିଜୀବୀଙ୍କ ମତରେ ଏଥିପାଇଁ ସେହି କେତେଜଣ ଅଧିକାରୀଙ୍କ ରହିଥିଲା ନିର୍ଦ୍ଦେଶ । ସମସ୍ତ ଦଳ ପାଇଁ ପୋଲିସ ବାବୁମାନେ ଆଦାୟ କରୁଥିଲେ ବଟି ।
ଯେଉଁ ଅଧିକାରୀ ଏମିତି ଅନୈତିକ କାମରେ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀକୁ ସମର୍ଥନ କରୁଥିଲେ ସେମାନଙ୍କୁ ପଦୋନ୍ନତି ଦିଆଯାଉଥିଲା । ସରକାର ଦ୍ୱାରା ସମ୍ମାନିତ ହେଉଥିଲେ । ଯେଉଁ କେତେଜଣ ସଚ୍ଚୋଟ ଅଫିସର ଏଥିରେ ସହଯୋଗ କରୁ ନ ଥିଲେ ସେମାନଙ୍କୁ ଉପାନ୍ତ ଇଲାକାକୁ ଟ୍ରାନ୍ସଫର କରାଯାଉଥିଲା ବା ଭିଜିଲାନ୍ସ ମାମଲାରେ ଛନ୍ଦି ସେମାନଙ୍କ କ୍ୟାରିୟର ବରବାଦ କରାଯାଉଥିବା କହୁଛନ୍ତି ରାଜନୈତିଜ୍ଞ ।

ତେବେ ନୂଆ ସରକାର ଆସିବା ସହ ଭରତପୁର ଘଟଣା ପୋଲିସର ପ୍ରକୃତ ଚରିତ୍ର ସର୍ବସମ୍ମୁଖକୁ ଆଣିବା ସହ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନବୀନ ପଟ୍ଟନାୟକଙ୍କ କଳା କାରନାମାକୁ ପଦାରେ ପକାଇଦେଇଥିବା କୁହାଯାଉଛି । ଏଥିସହ ସମୟ ଥାଉ ଥାଉ ନୂଆ ସରକାର ପାଣ୍ଡିଆନ କୋଟେରୀରେ ସାମିଲ ହୋଇଥିବା ପୋଲିସ, ଆଇଏଏସ, ଓଏଏସ ଓ ଅନ୍ୟ ଅଧିକାରୀଙ୍କୁ ଚିହ୍ନି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଆଶା ରଖିଛନ୍ତି । ଏମିତି ନ ହେଲେ ସାପକୁ କ୍ଷୀର ପିଆଇବା ଅବସ୍ଥା ମୋହନ ସରକାରର ହେବ ଓ ଆଗାମୀ ଦିନରେ ଏହିମାନେ ହିଁ ମୋହନ ସରକାର ବିରୋଧରେ କାମ କରି ସରକାର ପାଇଁ ଅପଯଶ ଆଣିଦେବେ ବୋଲି ସତର୍କ କରାଯାଉଛି ।

Get real time updates directly on you device, subscribe now.