fbpx

ଓଭାରି କ୍ୟାନ୍ସର ପାଇଁ ବିକଶିତ ହେଲା ବିଶ୍ବର ପ୍ରଥମ ଟିକା, ଯାହାକୁ ନେବା ଦ୍ଵାରା ସମ୍ପୂର୍ଣ୍ଣ ଭଲ ହୋଇଯିବ କର୍କଟ ! ବୈଜ୍ଞାନିକଙ୍କ ଦାବି

ମହିଳାଙ୍କୁ ହେଉଥିବା ଓଭାରି କ୍ୟାନ୍ସର ପାଇଁ ବିକାଶିତ ହେଲା ବିଶ୍ବର ପ୍ରଥମ ଟିକା । ଏହି ଟିକା ନେଲେ କ୍ୟାନ୍ସର ସମ୍ପୂର୍ଣ୍ଣ ଭଲ ହୋଇଯିବା ନେଇ ବୈଜ୍ଞାନିକଙ୍କ ଦାବି ।
କ୍ୟାନ୍ସର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଆସେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ବିଭିନ୍ନ ପ୍ରକାର କ୍ୟାନ୍ସରରେ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ମହିଳାଙ୍କୁ ହେଉଥିବା ଓଭାରି କ୍ୟାନ୍ସର ଅନ୍ୟତମ । Global Cancer Observatory (Globocon) 2018 ଅନୁସାରେ, ମହିଳାଙ୍କ ମଧ୍ୟରେ ଯେତେ ପ୍ରକାର କ୍ୟାନ୍ସର ହୁଏ, ସେଥିମଧ୍ୟରୁ ଏହି ଓଭାରି କ୍ୟାନ୍ସର ତୃତୀୟ ସବୁଠୁ ସାଧାରଣ କ୍ୟାନ୍ସର ଅଟେ । ମୃତ୍ୟୁହାର କ୍ଷେତ୍ରରେ ଏହାର ସ୍ଥାନ ପଞ୍ଚମ । ତେବେ ମେଡିକାଲ ସାଇନ୍ସର ଉନ୍ନିତ ସହ ଠିକ୍ ସମୟରେ କ୍ୟାନ୍ସର ରୋଗ ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ ।

ବିଳମ୍ବରେ ଜଣାପଡେ ଏହି କ୍ୟାନ୍ସର:

ଯଦି ମହିଳାଙ୍କ କଥା କହିବା, ତାହେଲେ ସେମାନଙ୍କୁ ବିଶେଷ ଭାବେ ବ୍ରେଷ୍ଟ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର ଓ ଓଭାରି କ୍ୟାନ୍ସର ଅଧିକ ହୋଇଥାଏ । National Ovarian Cancer Coalitionର ଏକ ରିପୋର୍ଟ ଅନୁସାରେ, ଲକ୍ଷଣ ବାବଦରେ ଅଜ୍ଞତା ହେତୁ ଓଭାରିଆନ କ୍ୟାନ୍ସର ପୀଡିତ ପାଖାପାଖି 85 ପ୍ରତିଶତ ମହିଳା ଏହି ରୋଗ ବିଷୟରେ ବିଳମ୍ବରେ ଜାଣିଥାନ୍ତି । କେବଳ 15 ପ୍ରତିଶତ ମହିଳା ଠିକ୍ ସମୟରେ ରୋଗକୁ ଚିହ୍ନି ଚିକିତ୍ସା କରିପାରନ୍ତି । ନଚେତ୍ ଯେପର୍ଯ୍ୟନ୍ତ ଏହି କ୍ୟାନ୍ସର ଚିହ୍ନଟ ହୁଏ ସେପର୍ଯ୍ୟନ୍ତ ଜଟିଳତା ଓ ଗମ୍ଭୀରତା ବଢି ଯାଇଥାଏ ।

ଓଭାରି କ୍ୟାନ୍ସରରେ ଅଧିକ ମୃତ୍ୟୁ:

ଏହାରି ମଧ୍ୟରେ ମହିଳାଙ୍କ ପାଇଁ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଓଭାରିଆନଭାକ୍ସ(Ovarianvax) ନାମକ ଏକ ନୂଆ ଟିକା ବିକଶିତ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ଓଭାରି କ୍ୟାନ୍ସରକୁ ରୋକିବା । ଏହି ଅଧ୍ୟୟନ ପାଇଁ ଅର୍ଥ ଦେଇଥିବା କ୍ୟାନ୍ସର ରିସର୍ଚ୍ଚ ୟୁକେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କହିଛି । ଓଭାରି କ୍ୟାନ୍ସର ପ୍ରଭାବ ଡିମ୍ବଗ୍ରନ୍ଥି ଉପରେ ପଡିଥାଏ । ୟୁକେରେ ପ୍ରତିବର୍ଷ ପାଖାପାଖି 7,500 କ୍ୟାନ୍ସର ମାମଲା ଚିକିତ୍ସା ଦ୍ବାରା ଭଲ ହେଉଥିବାବେଳେ ପ୍ରାୟ 4,100 ମହିଳାଙ୍କ ମୃତ୍ୟୁ ହେଉଛି ।

ଓଭାରିଆନଭାକ୍ସ ଟିକା:

ଓଭାରି କ୍ୟାନ୍ସରର ଚିକିତ୍ସା ସାଧାରଣତଃ ସର୍ଜରୀ ଓ କେମୋଥେରାପି ଅଟେ । ଏଥିସହ କ୍ୟାନ୍ସରର ପ୍ରକାର ଓ ପ୍ରସାର ଆଧାରରେ ଔଷଧ ଏବଂ ହରମୋନ ଉପଚାର ଭଳି ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ । ରିପୋର୍ଟ ଅନୁସାରେ, ଓଭାରିଆନଭାକ୍ସ ଟିକା ଏପରି ଭାବେ ପ୍ରସ୍ତୁତ କରାଯାଉଛି, ଯେମିତି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଆରମ୍ଭରୁ ଓଭାରି କ୍ୟାନ୍ସରକୁ ରୋକିପାରିବ । ଉକ୍ତ ଟିକା କ୍ୟାନ୍ସର କୋଶିକାଗୁଡିକର ବୃଦ୍ଧି ରୋକିବା ସହ ଏହାକୁ ନଷ୍ଟ କରିଦେବ ।

କ’ଣ କହୁଛନ୍ତି ବୈଜ୍ଞାନିକ:

କିଛି ବର୍ଷ ମଧ୍ୟରେ ଓଭାରିଆନଭାକ୍ସ ଟିକା ବଜାରରେ ଉପଲବ୍ଧ ହେବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ବୈଜ୍ଞାନିକମାନେ ଟିକା ପ୍ରସ୍ତୁତି ଉପରେ କାମ କରୁଛନ୍ତି । ଏହାପରେ ଟିକାର ପ୍ରଭାବ ଓ ସୁରକ୍ଷା ଯାଞ୍ଚ ପାଇଁ କ୍ଲିନିକାଲ ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏମଆରସି ୱେଦରାଲ ଇନଷ୍ଟିଚ୍ୟୁଟ ଅଫ ମଲିକ୍ୟୁଲାର ମେଡିସିନରେ ଓଭାରି କ୍ୟାନ୍ସର ସେଲ୍ ଲାବେରୋଟୋରୀ ନିର୍ଦ୍ଦେଶକ ପ୍ରଫେସର ଅହମ୍ମଦ ଟିକାର ଲକ୍ଷ୍ୟ ସମ୍ପର୍କରେ ବୁଝାଇ କହିଛନ୍ତି, ଏହି ଟିକା ଏକ ସେଲୁଲାର ଟାର୍ଗେଟ ଭଳି କାମ କରିବ । ବୈଜ୍ଞାନିକ ଟିମ୍ ବୁଝିବାକୁ ଚେଷ୍ଟା କରୁଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନ୍ସର କୋଶିକାଗୁଡିକରେ କେଉଁ ପ୍ରୋଟିନ ଥାଇପାରେ । ଏହାପରେ ଭ୍ୟାକ୍ସିନ ମାଧ୍ୟମରେ ସେହି କୋଶିକାଗୁଡିକୁ ଟାର୍ଗେଟ କରାଯିବ, ଯାହା କ୍ୟାନ୍ସରର କାରଣ ହୋଇପାରେ ।

ଯଦି ଓଭାରିଆନଭାକ୍ସ ଟିକା ସଫଳ ହୁଏ ତାହେଲେ ଆଗାମୀ 5 ବର୍ଷ ଭିତରେ ଏହାର ରେଜଲ୍ଟ ଦେଖିବାକୁ ମିଳିପାରେ । ସେ ଆହୁରି କହିଛନ୍ତି ଯେ, ଆମର ଲକ୍ଷ୍ୟ ଓଭାରି କ୍ୟାନ୍ସରକୁ ମୂଳରୁ ଶେଷ କରିବା । ଏ ଦିଗରେ ଏହି ଟିକା ଫଳପ୍ରଦ ହେବ ବୋଲି ଆମର ଆଶା ।

Get real time updates directly on you device, subscribe now.