fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ ନଭେମ୍ବର ୧୫ରୁ ବର୍ଷ ବ୍ୟାପୀ ପାଳିତ ହେବ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଜୟନ୍ତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଅଛି ।

ଏହି ନିଷ୍ପତ୍ତି ଅନୁଯାୟ. ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ୨୦୨୫ ନଭେମ୍ବର ୧୫ ପର୍ୟ୍ୟନ୍ତ ବର୍ଷ ବ୍ୟାପୀ ପାଳନ କରାଯିବ । ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସଚେତନତା ସଂପର୍କିତ କାର୍ୟ୍ୟକ୍ରମ ଗ୍ରହଣ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ôଥକ ବିକାଶ ପାଇଁ ପଦକ୍ଷେପ ନିଆଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୪ ନଭେମ୍ବର ୧୫ରେ ବର୍ଷ ବ୍ୟାପୀ ଏହି ସମାରୋହର ଉଦ୍?ଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ ।

ଉଦଘାଟନୀ ଉତ୍ସବରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବ । ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ । ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ ।

ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ୟ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ୟ୍ୟକ୍ରମ, ସିକିଲ ସେଲ୍ ଆନାମିଆ ରୋଗ ସଂପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ୱାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ । ଏହାସହିତ ବିଭିନ୍ନ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାର୍ୟ୍ୟକ୍ରମମାନ ମଧ୍ୟ ପ୍ରସ୍ତୁତ କରାଯିବ । ରାଜଧାନୀ ଭୁବନେଶ୍ୱର ସହିତ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଚଳିତ ବର୍ଷ ଭୁବନେଶ୍ୱରର ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ଶିକ୍ଷା ଉପରେ ହେଉଥିବା ବିଭିନ୍ନ କାର୍ୟ୍ୟକ୍ରମ ସହିତ ସେମାନଙ୍କ ଆର୍ôଥକ ପ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଆରୋପ କରିଥିଲେ । ବିଭିନ୍ନ ବିଭାଗର ସମନ୍ୱୟରେ ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି, ଜାତି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.