ବିଶ୍ୱକପ ସେମି ଖେଳିବା ପାଇଁ ଭାରତ ପାଖରେ ରହିଛି ଏକମାତ୍ର ସୁଯୋଗ! ପାକିସ୍ତାନର ବିଜୟ ଉପରେ ନିର୍ଭର କରୁଛି ଟିମ୍ ଇଣ୍ଡିଆର ଭାଗ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ୧୩ରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୯ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୯ ରନରେ ପରାସ୍ତ ହେବା ଭାରତକୁ ମହଙ୍ଗା ପଡ଼ିଛି । ଭାରତ ଏବେ ଚଳିତ ଟି-୨୦ ବିଶ୍ୱକପର ସେମି ରେସରୁ ବାଦ୍ ପଡ଼ିବାର ସମ୍ଭାବନା ଅଧିକ ରହିଛି । ଅଷ୍ଟ୍ରେଲିଆ ମୋଟ ୮ ପଏଣ୍ଟ ପାଇବା ପରେ ଗ୍ରୁପ-ଏ’ର ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟେ ୪ ପଏଣ୍ଟ ପାଇଥିବା ବେଳେ ପାକିସ୍ତାନ ୨ ପଏଣ୍ଟ ପାଇଛି । ତେବେ ଏବେ ବି ଭାରତର ସେମି ଆଶା ସମ୍ପୂର୍ଣ୍ଣ ମଉଳି ନାହିଁ । ଆଜି ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଜିତିଲେ ଭାରତର ସମ୍ଭାବନା ବଢ଼ିଯିବ । କାରଣ ଏପରି ହେଲେ ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପ୍ରତ୍ୟେକ ଟିମ୍ ୪ ପଏଣ୍ଟ ଲେଖାଏ ପାଇବେ । ମାତ୍ର ରନରେଟ୍ ଦୃଷ୍ଟିରୁ ଭାରତ ସେମିରେ ପହଞ୍ଚିଯିବ । ତେଣୁ ଆଜିର ଖେଳ ପରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡର ରନରେଟରେ କେତେ ବୃଦ୍ଧି ଘଟୁଛି ତା’ ଉପରେ ଏବେ ଟିମ୍ ଇଣ୍ଡିଆର ନଜର ।

ସେମିଫାଇନାଲର ସମୀକରଣ ମୁତାବକ, ଯଦି ଆଜିର ମ୍ୟାଚରେ ପାକିସ୍ତାନ ୫୩ ରନ ବା ତା’ଠାରୁ ଅଧିକ ରନରେ ବିଜୟୀ ହୁଏ, ତେବେ ସେ ସେମିରେ ପହଞ୍ଚିଯିବ । ସେହିପରି କମ୍ ରନରେ ଜିତିଲେ ଭଲ ରନରେଟ୍ ଆଧାରରେ ଭାରତ ସେମିରେ ପହଞ୍ଚିବ । ସେହିପରି ଆଜି ଯଦି ନ୍ୟୁଜିଲାଣ୍ଡ ବିଜୟୀ ହୁଏ, ତେବେ ସେ ୬ ପଏଣ୍ଟ ପାଇ ସିଧାସଳଖ ସେମିରେ ପହଞ୍ଚିଯିବ । ତେଣୁ ପାକିସ୍ତାନର ବିଜୟକୁ ନେଇ ଏବେ ଅଙ୍କକଷା ଚାଳିଛି । ଆଜିର ମ୍ୟାଚରେ ଯଦି ପାକିସ୍ତାନ ଏକ ବଡ଼ ବିଜୟ ହାସଲ କରେ, ତେବେ ସେ ମଧ୍ୟ ସେମିଫାଇନାଲରେ ପହଞ୍ଚିଯିବ । ଏଭଳି ସ୍ଥିତିରେ ତିନୋଟି ଯାକ ଦଳ ଏବେ ସେମି ଖେଳିବାକୁ ଆଶା ବାନ୍ଧି ରହିଥିବା ବେଳେ ମ୍ୟାଚର ଫଳାଫଳ ପରେ କାହାର ଭାଗ୍ୟ ଫୁଟୁଛି ତାହା ଜଣାପଡ଼ିବ ।

Get real time updates directly on you device, subscribe now.