ଲୁଟ ଟଙ୍କା ଫେରାଇଦେଲା ପୋଲିସ, ଖୁସିରେ ବୃଦ୍ଧା ମାଉସୀ ଜିଲାପି ନେଇ ଥାନାରେ ହାଜର

ସମ୍ବଲପୁର: ପୋଲିସକୁ ମାଉସୀଙ୍କ ଜିଲାପି ଭେଟି । କୌଣସି ଲାଞ୍ଚ ନୁହେଁ, କୃତଜ୍ଞତା ସ୍ୱରୂପ ଜଣେ ବୃଦ୍ଧା ପୋଲିସକୁ ଭେଟି ଦେଇଛନ୍ତି ଜିଲାପି । ଗରିବ ମାଉସୀ ଜଣଙ୍କର ୫୦ ହଜାର ଟଙ୍କା ଲୁଟେରାଙ୍କ ଠାରୁ ପୋଲିସ ଉଦ୍ଧାର କରି ଦେବା ପରେ ବୁଢୀ ମାଉସୀ ପୋଲିସକୁ ଭେଟି ଦେଇଛନ୍ତି ଜିଲାପି ।

ସମ୍ବଲପୁର ସଦର ଥାନା ଅଧୀନ ଚାଉରପୁର ଗାଁର ବୃଦ୍ଧ ମାଉସୀ ଜଣକ ପେନସନ ଟଙ୍କା ୫୦, ୫୦୦ ଧରି ନିଜ ଗାଁକୁ ଫେରୁଥିଲେ । ସେ ବସ ପାଇଁ ଅପେକ୍ଷା କରିଥିବା ବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଲିପ୍ଟ ଦେବାକୁ କହିଥିଲେ । ଏଥିପାଇଁ ସମାନେ ୫୦ ଟଙ୍କା ମାଗିଥିଲେ । କିନ୍ତୁ ମାଉସୀ ଖୁସିରେ ସେମାନଙ୍କୁ ୨୦୦ ଟଙ୍କା ଦେଇଥିଲେ । କିନ୍ତୁ ଦୁଇ ଯୁବକ ତାଙ୍କୁ ଲିପ୍ଟ ଦେବା ବଦଳରେ ତାଙ୍କ ବ୍ୟାଗ ଛଡାଇ ସେଠାରୁ ଫେରାର ମାରିଥିଲେ । ଏନେଇ ବୃଦ୍ଧା ଜଣକ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ସ୍ଥାନୀୟ ଅଞ୍ଚଳର ସିିସିଟିଭି ଫୁଟେଜ ଆଧାରରେ ମାତ୍ର ୮ ଘଣ୍ଟା ଭିତରେ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରିଥିଲା ଓ ମହିଳାଙ୍କୁ ଦେଇଥିଲା । ଗରିବ ମହିଳା ଜଣକ ନିଜ ଟଙ୍କା ଫେରିଥିବାରୁ ବହୁତ ଖୁସି ହୋଇଥିଲେ । ଏହା ଥାନା କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇଥିଲା ବୋଲି ମହିଳା ଖୁସିରେ ଗୋଟିଏ ବଡ ପଲିଥିନରେ ଜିଲାପି ଧରି ଥାନାରେ ପହଞ୍ଚି ଯାଇଥିଲେ ଓ ଥାନା କର୍ମଚାରୀଙ୍କୁ ଜିଲାପି ଭେଟି ଦେଇଥିଲେ । ଏହି ମାମଲାରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.