ବାତ୍ୟା ପାଇଁ ବଡ଼ ନିଷ୍ପତ୍ତି: NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାତ୍ୟା ଉପରେ ସୂଚନା ଜାରି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ବାତ୍ୟାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ବାତ୍ୟା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଟିମ୍ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିବା ସହ ବାତ୍ୟା ଉତ୍ତର-ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ।

ତେବେ ଏହା ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୨୩ ଓ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୁଞ୍ଚିଛି । ପରୀକ୍ଷା କେବେ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଧ (ବିଏସଇ) ତରଫରୁ ସୂଚନା ଜାରି କରାଯିବ ।

ସୂଚନାଯୋଗ୍ୟ ଯେ, ଏନଆରଟିଏସ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେଉଥିବା ନେଇ ନିକଟରେ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟମନ୍ତ୍ରୀ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପଞ୍ଜିକୃତ ପ୍ରାର୍ଥୀଙ୍କ ପାଇଁ ଜାରି କରିବେ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ଆସନ୍ତା ୨୪ କିମ୍ବା ୨୫ରେ ବାତ୍ୟା ଭୀଷଣ ରୂପ ନେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ବଡ଼ ନିଷ୍ପତ୍ତି ନେଉଛନ୍ତି ।

Get real time updates directly on you device, subscribe now.