୨ ଦିନ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ, ଜାଣନ୍ତୁ କ’ଣ ରହିଛି ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏବେ ଏହା ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। ପରେ ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହା ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।

ତେବେ ବର୍ତ୍ତମାନ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନକୁ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ୨୪ ଓ ୨୫ ତାରିଖରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ହବିଷ୍ୟାଳୀଙ୍କ ପାଇଁ ୨ ଦିନ ଏହି ଦର୍ଶନ ବନ୍ଦ ରହିବ। ବାତ୍ୟାରେ ଅନେକ କ୍ଷୟକ୍ଷତିର ସମ୍ଭାବନା ରହିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖାଯାଇ ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସାମଗ୍ରୀ ମହଜୁଦ, ଜେନେରେଟର ବ୍ୟବସ୍ଥା କରାଯାଇଛି। ଏନେଇ ଗଣମାଧ୍ୟମ ଜରିଆରେ ଅପିଲ କଲେ ପୁରୀ ଜିଲ୍ଲାପାଳ।

ସେହିପରି ବାତ୍ୟା ପାଇଁ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ। ୨୪ ଓ ୨୫ ତାରିଖରେ ନନ୍ଦନକାନନ ବନ୍ଦ ରହିବ। ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବ ‘ଦାନା’। ପୁରୀ, ଧାମରା, ପାରଦ୍ୱୀପକୁ ୧୦ ନମ୍ବର ବିପଦ ସଂକେତ ଜାରି ହୋଇଛି। ଗୋପାଳପୁରକୁ ୮ ନମ୍ବର ବିପଦ ସଂକେତ ଜାରି ହୋଇଛି। ସମୁଦ୍ର ଭିତରେ ସର୍ବାଧିକ ପବନର ବେଗ ୮୫ କିମି ରହୁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।