Cheat in Cyclone! ନିରୀହ ଲୋକଙ୍କ ଜୀବନ ସହ ଖେଳ, ବାତ୍ୟା ଆଶ୍ରୟସ୍ଥଳୀରୁ ଆସିଲା ବଡ଼ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ସ୍ଥଳଭାଗରେ ମାଡ଼ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କା ଘେରରେ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଦେଖିବାକୁ ମିଳିପାରେ । ଏବେ ଧାମରାଠାରୁ ୧୮୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାତ୍ୟା ଯେତିକି ଯେତିକି ପାଖକୁ ଆସୁଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି ।

ତେବେ ଗୋଟିଏ ପଟେ ବାତ୍ୟାକୁ ନେଇ ଲୋକମାନେ ଭୟ ଘେରରେ ରହିଥିବା ବେଳେ ରାଜ୍ୟ ସରକାର ବାତ୍ୟାର ସଫଳ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ବାତ୍ୟା ସୁପରିଚାଳନା ପାଇଁ ମନ୍ତ୍ରୀ, ବିଧାୟକ, ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ବାତ୍ୟା ପରିସ୍ଥିତି ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ଚିନ୍ତାଜନକ ଖବର । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଲୋକଙ୍କୁ କେନ୍ଦ୍ରାପଡ଼ାର ରାଜକନିକା ଥାନା ଅନ୍ତର୍ଗତ ଉପୁଳାଇ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ତେବେ ସେଠାରେ ଲୋକଙ୍କୁ ଠିକରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ପିଇଓଙ୍କୁ ଆଜି ପାଖାପାଖି ୩ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ବ୍ଲକ ଏଇଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପିଇଓଙ୍କୁ ଲୋକମାନେ ଛାଡ଼ିଥିଲେ । ଖରାପ ଗନ୍ଧଯୁକ୍ତ ଚୁଡ଼ା, ପିତା ଗୁଡ଼ ଲୋକଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ବାତ୍ୟା ସମୟରେ ଲୋକଙ୍କୁ ଏଭଳି ଠକିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।