ଆଉ ମାତ୍ର ୭୦ କି.ମି… ଆରମ୍ଭ ହେବ ‘ଦାନା’ର ତାଣ୍ଡବ: ସ୍ଥଳଭାଗର ଆହୁରି ନିକଟତର ହେଲା ବାତ୍ୟା

ପାରାଦୀପ: ଧିରେ ଧିରେ ସ୍ଥଳଭାଗର ଖୁବ ନିକଟରେ ପହଞ୍ଚିଲାଣି ବାତ୍ୟା ‘ଦାନା’ । ଖୁବଶୀଘ୍ର ସ୍ଥଳଭାଗରେ ପାଦ ଥାପିବ ବାତ୍ୟା । ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ ହୋଇଛି । ତେବେ ବାତ୍ୟା ପ୍ରଭାବରୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବର୍ଷା ପବନ ଆରମ୍ଭ ହୋଇସାରିଛି । ସମୁଦ୍ର ଭିତରେ ୧୫ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଦାନା’ । ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ପାରାଦୀପ ଠାରୁ ବାତ୍ୟା ପ୍ରାୟ ୭୦ କି.ମି ଦୂରରେ ରହିଛି । ସେହିପରି ଧାମରା ଠାରୁ ଏହାର ଦୂରତା ପ୍ରାୟ ୯୦ କିଲୋମିଟର ରହିଛି ।

କୁହାଯାଉଛି ଯେ, ମଧ୍ୟ ରାତ୍ରରେ ବାତ୍ୟା ସ୍ଥଳଭାଗ ଛୁଁଇବ ଏବଂ ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହୋଇପାରିବ । ରାତି ୧୨ଟା ପରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ସ୍ଥଳଭାଗକୁ ଧୀରେ ଧୀରେ ପାଖେଇ ଆସୁଛି ବାତ୍ୟା ‘ଦାନା’ । ସ୍ଥଳଭାଗକୁ ଯେତେ ପାଖଉଛି, ସେତେ ବଢୁଛି ସମୁଦ୍ରର ଗର୍ଜନ ବୃଦ୍ଧି ପାଉଛି ପବନର ବେଗ । ଗର୍ଜୁଛି ସମୁଦ୍ର ଉଠି ଆସୁଛି ବଡ଼ ବଡ଼ ଜୁଆର । ସମୁଦ୍ର ଭିତରେ ବଳ ଗୋଟାଇ ଭୟଙ୍କର ହେଉଛି ବାତ୍ୟା ଦାନା । ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି । ବର୍ଷା ପବନ ସାଙ୍ଗକୁ କୂଳ ଲଙ୍ଘି ଜନବସତି ଆଡ଼କୁ ମାଡ଼ି ଆସୁଛି ବିରାଟ ଜୁଆର । କମୁଛି ବାତ୍ୟାରେ ଦୂରତା ବଢୁଛି ଲୋକଙ୍କ ଚିନ୍ତା । ଗୋଟିଏ ପଟେ ବାତ୍ୟା ଆତଙ୍କରେ ପୁରା ଓଡିଶାବାସୀ ଆତଙ୍କିତ ରହିଛନ୍ତି । ସମୁଦ୍ର ଏବେ ଧିରେ ଧିରେ କୂଳ ଲଙ୍ଘିବା ମଧ୍ୟ ଆରମ୍ଭ କରି ସାରିଲାଣି ।