LOC ନିକଟରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ସହିଦ, ୨ ଶ୍ରମିକଙ୍କର ମଧ୍ୟ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଗୁଲମର୍ଗରେ ଆତଙ୍କବାଦୀମାନେ ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଥିବାବେଳେ ଦୁଇଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତ ଯବାନମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି । ତେବେ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଠିକଣା ମିଳିପାରି ନାହିଁ । ଆକ୍ରମଣ ପରେ ଆତଙ୍କବାଦୀମାନେ ସେଠାରୁ ପଳାୟନ କରିଥିଲେ । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ନିଜର ଛାନଭିନ୍ ବଢ଼ାଇ ଦେଇଛି ।

ଏହି ଆକ୍ରମଣକୁ ନେଇ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଉତ୍ତର କାଶ୍ମୀରର ବୁଟା ପାଥ୍ରି ଅଞ୍ଚଳରେ ସେନା ଗାଡି ଉପରେ ହୋଇଥିବା ଆକ୍ରମଣକୁ ନେଇ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଖବର ଯେଉଁଥିରେ କିଛି ଲୋକ ହତାହତ ଓ ଆହତ ହୋଇଛନ୍ତି । କାଶ୍ମୀରରେ ସମ୍ପ୍ରତି ହୋଇଥିବା ଏହି ଆକ୍ରମଣ କ୍ରମଶଃ ଚିନ୍ତାର ବିଷୟ ହୋଇଛି । ମୁଁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରିୟଜନଙ୍କୁ ମୋର ସମବେଦନା ଜଣାଉଛି । ମୁଁ ମଧ୍ୟ ପ୍ରାର୍ଥନା କରୁଛି ଯେ ଆହତ ଲୋକମାନେ ପୂର୍ଣ୍ଣ ଏବଂ ଶୀଘ୍ର ସୁସ୍ଥ ହୁଅନ୍ତୁ ।