‘Free Cylinder Scheme’ର ଶୁଭାରମ୍ଭ: ଦୀପାବଳୀରେ ୧ ଲକ୍ଷ ୮୪ ହଜାର ଲୋକଙ୍କୁ ବଣ୍ଟାଯିବ ମାଗଣା ଏଲପିଜି ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ: ଆଗକୁ ଦୀପାବଳୀ ଆସୁଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ଖୁସି ଖବର । ଲକ୍ଷାଧିକ ଲୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବଣ୍ଟନ କରାଯିବ । ଦୀପାବଳୀ ପୂର୍ବରୁ ‘ଫ୍ରି ସିଲିଣ୍ଡର ଯୋଜନା’ର ଶୁଭାରମ୍ଭ କରାଯାଇଛି । ତେବେ ସରକାରଙ୍କ ତରଫରୁ ଏହି ଯୋଜନାର ଆରମ୍ଭ କରାଯିବା ଦ୍ୱାରା ଲକ୍ଷାଧିକ ଲୋକ ଏହାଦ୍ୱାରା ଉପକୃତ ହେବେ । ନିକଟରେ ଉତ୍ତରପ୍ରଦେଶ ସରକାର ଏହି ଯୋଜନାର ଘୋଷଣା କରିଥିବା ବେଳେ ନିଜ ରାଜ୍ୟରେ ମାଗଣାରେ ଗ୍ୟାସ ସିଲିଣ୍ଡର ବାଣ୍ଟିବା ପାଇଁ ପ୍ରସ୍ତୁତି ଚାଲିଛି ।
ସୂଚନାଯୋଗ୍ୟ ଯେ, ଦୀପାବଳୀରେ ଜନସାଧାରଣଙ୍କୁ ମାଗଣା ସିଲିଣ୍ଡର ବଣ୍ଟନ ନେଇ ନିକଟରେ କିଛି ରାଜ୍ୟ ଘୋଷଣା କରିଛନ୍ତି । ନିକଟରେ ଉତ୍ତର ପ୍ରଦେଶ ସରକାର ଫ୍ରି ଗ୍ୟାସ ସିଲିଣ୍ଡର ଯୋଜନାର ଘୋଷଣା କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏପରି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଗ୍ୟାସ ସଂଯୋଗକାରୀଙ୍କୁ ଦୀପାବଳୀରେ ମାଗଣା ସିଲିଣ୍ଡର ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହୋଲି ଓ ଦୀପାବଳୀରେ ଲାଭାର୍ଥୀଙ୍କୁ ମାଗଣା ସିଲିଣ୍ଡର ଦେବାକୁ ୟୁପି ସରକାର ଘୋଷଣା କରିଥିଲେ । ୧ ଲକ୍ଷ ୮୪ ହଜାର ୩୯ ଜଣ ଉପଭୋକ୍ତାଙ୍କୁ ମାଗଣାରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି । ତେବେ ଏହାର ଫାଇଦା ପାଇବା ପାଇଁ ପୂର୍ବରୁ କନେକ୍ସନ ଥିବା ଲାଭାର୍ଥୀଙ୍କୁ ଗ୍ୟାସ ସିଲିଣ୍ଡରର ପୂରା ରାଶି ନଗଦ ଭାବେ ଭରଣା କରିବାକୁ ପଡ଼ିବ । ରିଫଣ୍ଡ ଭାବେ ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ୩-୪ ଦିନ ପରେ ଅର୍ଥରାଶି ଟ୍ରାନ୍ସଫର ହୋଇଯିବ । ୟୁପି ସରକାରଙ୍କ ଘୋଷଣା ପରେ ଆନ୍ଧ୍ର ଓ ଉତ୍ତରାଖଣ୍ଡ ସରକାର ମଧ୍ୟ ଉଜ୍ଜ୍ୱଳା ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଦୀପାବଳୀରେ ଫ୍ରି ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି । ଏହାର ବେନିଫିଟ୍ ପାଇବାକୁ ହେଲେ ଆପଣଙ୍କୁ ଉଜ୍ଜ୍ୱଳା ଯୋଜନାରେ ପଞ୍ଜିକୃତ ହେବା ନିହାତି ଜରୁରୀ । ଆପଣ ନିକଟସ୍ଥ କମନ ସର୍ଭିସ ସେଣ୍ଟର ବା ଏଲପିଜି ଡିଷ୍ଟ୍ରିବ୍ୟୁଟରକୁ ଯାଇ ଆବେଦନ କରିପାରିବେ ।