ସଲମାନଙ୍କୁ ପୁଣି ହତ୍ୟା ଧମକ, ‘2 କୋଟି ନଦେଲେ ଜୀବନରୁ ମାରିଦେବୁ’

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଜାରି ରହିଛି । ପୁଣି ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲକୁ କେହି ଅଜ୍ଞାତ ବ୍ୟକ୍ତି ମେସେଜ କରି ହତ୍ୟା ଧମକ ଦେଇଛନ୍ତି । 2 କୋଟି ଦିଅ ନହେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି । କହିରଖୁଛୁ କି, ଗତ କିଛି ଦିନ ହେବ ବାରମ୍ବାର ସଲମାନ୍ ଖାନଙ୍କୁ ହତ୍ୟା ଧମକ ମିଳୁଛି । ନିକଟରେ ବାବା ସିଦ୍ଦିକିଙ୍କର ପୁଅ ଜିସନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ଏହାପରେ ଧମକ ଦେଇଥିବା ବ୍ୟକ୍ତିକୁ ପୋଲିସ ନୋଏଡାରୁ ଗିରଫ କରିଥିଲା ।

ଖବର ଅନୁସାରେ, 14ଦିନ ଭିତରେ 3 ଥର ସଲମାନଙ୍କୁ ହତ୍ୟା ଧମକ ମିଳିଛି । ବାବା ସିଦ୍ଦିକିଙ୍କର ହତ୍ୟା ପରେ ଲଗାତାର ସଲମାନଙ୍କୁ ହତ୍ୟା ଧମକ ମିଳୁଛି । ଅକ୍ଟୋବର 18 ତାରିଖରେ ପ୍ରଥମେ ମୁମ୍ବାଇ କଣ୍ଟ୍ରୋଲ ରୁମ ହ୍ବାଟ୍ସଆପରେ ଧମକ ମିଳିଥିଲା । ସେ ଲୋରେନ୍, ବିଷ୍ଣୋଇଙ୍କର ପାଖଲୋକ ବୋଲି କହିଥିଲେ। ଏହି ଘଟଣାକୁ ନେଇ ନିର୍ମଳନଗର ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହା ଟଙ୍କା ମାଗିବା ପାଇଁ କରାଯାଇଥିବା ନେଇ ଜଣାପଡିଥିଲା । ବର୍ତ୍ତମାନ ପୁଣିଥରେ 2 କୋଟି ଟଙ୍କା ମାଗିଥିବା ବେଳେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଅଭିନେତା ସଲମାନ ଖାନଙ୍କୁ ବାରମ୍ବାର କିଏ ଏବଂ କାହିଁକି ହତ୍ୟା ଧମକ ଦେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।