ପାଟନା: ବିହାରର ମୋତିହାରୀ ଜିଲ୍ଲାରେ ପୋଲିସ ଟିମ ଏକ ଘଟଣାର ତଦନ୍ତ କରିବାକୁ ଯାଇ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛି । ଏଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ପୋଲିସ ମାମଲା ଦାୟର କରି ଯାଞ୍ଚ କରୁଛି । ଏକ ଅପହରଣ ମାମଲାରେ ପୋଲିସ ତଦନ୍ତ ପାଇଁ ଯାଇଥିବା ଜଣାପଡିଛି ।
ସୂଚନା ମୁତାବକ, ମୋତିହାରି ଜିଲ୍ଲାର ପହାଡପୁର ଥାନା ଅଧୀନ ସରେୟାର ତିନି ନମ୍ବର ୱାର୍ଡକୁ ଏକ ଅପହରଣ ଘଟଣାର ତଦନ୍ତ କରିବାକୁ ପୋଲିସ ଟିମ ଯାଇଥିଲା । ଏକ ପ୍ରେମ ବ୍ୟାପାରରେ ଦୁଇ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅପହୃତା ଦୁଇ ଯୁବତୀଙ୍କୁ ଉଦ୍ଧାର କରି ସମ୍ଭୁ ଭଗତଙ୍କ ପୁଅ କୁହାଯାଉଥିବା ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିଲା । ଅଭିଯୁକ୍ତକୁ ଧରିବାକୁ ପୋଲିସ ଛାପାମାରି କରିବା ଆରମ୍ଭ କରିଛି, ସେଠାରେ ସମ୍ଭୁର ପରିବାର ଓ ପଡୋଶୀ ଲୋକେ ହାତରେ ଠେଙ୍ଗା, ବାଡି ଓ ଅନ୍ୟ ହାତ ହତିଆର ସହ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଦେଇଥିଲେ । ପୋଲିସ ଲୋକଙ୍କୁ ଡରାଇବାକୁ ହାତରେ ପିସ୍ତଲ ଧରି ଠିଆ ହୋଇଥିବା ବେଳେ ଲୋକେ ପୋଲିସ ଉପରେ ଆଖିବୁଜା ଆକ୍ରମଣ ଆରମ୍ଭ କରିଦେଇଥିଲେ ।
ଏହି ଆକ୍ରମଣରେ ଏଏସଆଇ ସୋନୁ କୁମାରଙ୍କ ମୁଣ୍ଡ ଫାଟିଥିବା ବେଳେ ହୋମଗାର୍ଡ ମୁନ୍ନା ପାସବାନ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଭିଡିଓ ଆଧାରରେ ୭ ଜଣଙ୍କ ନାଁରେ ମାମଲା ଦାୟର ହୋଇଛି । ଥାନା ଅଧିକାରୀଙ୍କ କାମରେ ଶୀଥିଳତା ପାଇଁ ଏସପି ତାଙ୍କ ଦରମା ବନ୍ଦ କରିବା ସହ ଘଟଣାରେ ଜବାବ ତଲବ କରିଛନ୍ତି ।