ନୂଆଦିଲ୍ଲୀ: ଦେଶକୁ ୨୦୨୫ ସୁଦ୍ଧା ଟିବି ବା ଟୁ୍ୟବରକୁଲୋସିସ୍ ରୋଗରୁ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । କିନ୍ତୁ ଏବେ ଏହା ସଫଳ ହେଲା ଭଳି ଲାଗୁନାହିଁ । କାରଣ ଏବେ ଚିନ୍ତା ବଢ଼ାଇ ଦେଇଛି, ଡବ୍ଲୁ୍ୟଏଚ୍ଓ ରିପୋର୍ଟ । ବିଶ୍ୱରେ ଟିବି ସଂକ୍ରମିତଙ୍କ ସ୍ଥିତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ, ବିଶ୍ୱର ମୋଟ ଟିଭି ରୋଗୀଙ୍କ ଭିତରୁ କେବଳ ଭାରତରେ ୨୫% ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଏହି ବାୟୁବାହିତ ରୋଗର ନିରାକରଣ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସରକାର ୩୪୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ବର୍ତ୍ତମାନ ପ୍ରତ୍ୟେକ ହସ୍ପିଟାଲରେ ଟିବିର ଚିକିତ୍ସା ମାଗଣା ଚାଲିଥିବାବେଳେ ରୋଗୀର ପୁଷ୍ଟିକର ଆହାର ପାଇଁ ସଂକ୍ରମିତଙ୍କୁ୧ ହଜାର ଟଙ୍କା ଦିଆଯାଉଛି । କିନ୍ତୁ ଏତେ ସବୁ ସରକାରୀ ଅଭିଯାନ ସତ୍ତ୍ୱେ ଦେଶରେ ଟିବି ସଂକ୍ରମିତଙ୍କ ସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡିବାରେ ଲାଗିଛି ।
୨୦୨୩ରେ ବିଶ୍ୱରେ ସର୍ବମୋଟ ୮୦ ଲକ୍ଷ ରୋଗୀ ଚିହ୍ନଟ ହୋଇଥିବାବେଳେ ସେହିବର୍ଷ ଭାରତରେ ୨୫ ଲକ୍ଷ ୩୭ ହଜାର ମାମଲା ସାମ୍ନାକୁ ଆସିଥିଲା । ସେହିପରି ୨୦୨୨ରେ ଦେଶରେ ୨୪ ଲକ୍ଷ ୨୨ ହଜାର ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୩ରେ ବିଶ୍ୱରେ ମୋଟ ୧୨ ଲକ୍ଷ ୫୦ ହଜାର ଟିବି ରୋଗୀଙ୍କ ମୃତୁ୍ୟ ଘଟିଥିବାବେଳେ ଭାରତରେ ପ୍ରାଣ ହରାଇଥିଲେ ମୋଟ ୩ ଲକ୍ଷ ୨୦ ହଜାର ରୋଗୀ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୧୯୯୫ଠାରୁ ଟିବି ସଂକ୍ରମିତଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲା । ଚାଲନ୍ତୁ ଏ ରୋଗ ବିଷୟରେ ଅଧିକ ଜାଣିବା…
ଟୁ୍ୟବରକୁଲୋସିସ୍ କ’ଣ?
ଏହା ଏକ ସଂକ୍ରାମକ ରୋଗ । ଟିବିର ବ୍ୟାକ୍ଟେରିଆ ସାଧାରଣ ଭାବେ ଫୁସ୍ଫୁସ୍ ଟିସୁକୁ ଦୁର୍ବଳ କରେ । ଅନେକ ସମୟରେ ଟିବିର ବ୍ୟାକ୍ଟେରିଆ ମସ୍ତିଷ୍କ, ଯକୃତ ଭଳି ଅଙ୍ଗକୁ ପ୍ରଭାବିକ କରୁଥିବା ଦେଖାଯାଇଛି ।
କ’ଣ ପାଇଁ ହୁଏ ଏହି ରୋଗ?
ଟୁ୍ୟବରକୁଲୋସିସ୍ ବ୍ୟାକ୍ଟେରିଆ ହେଉଛି ଏହି ରୋଗର କାରକ । ଏହା ଏକ ବାୟୁବାହିତ ରୋଗ ହୋଇଥିବା କାରଣରୁ ସାଧାରଣତଃ ବାୟୁ ଦ୍ୱାରା ଏହି ବ୍ୟାକ୍ଟେରିଆ ବ୍ୟାପିଥାଏ । ଏହା ଆମ ଶରୀରର ଫୁସ୍ଫୁସ୍କୁ ସଂକ୍ରମିତ କରେ । ସଂକ୍ରମିତ ବ୍ୟକ୍ତି ପାଖରେ ଅଧିକ ସମୟ ଉଠାବସା କଲେ ବ୍ୟାକ୍ଟେରିଆ ସହଜରେ ସୁସ୍ଥ ଲୋକ ଶରୀରରେ ପ୍ରବେଶ କରିଥାଏ ।
ଟିବିର ଲକ୍ଷଣ
୧. ଦୁଇ ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା
୨. ଛାତିରେ ଯନ୍ତ୍ରଣା
୩. କାଶରେ ରକ୍ତ କିମ୍ବା କଫ ପଡ଼ିବା
୪. ଅତ୍ୟଧିକ ଦୁର୍ବଳ ଲାଗିବା
୫. ଭୋକ ମରିଯିବା
୬. ଲଗାତର ଭାବେ ଓଜନ କମିବା
୭. ଜ୍ୱର ଲାଗି ରାହିବା
୮. ରାତିରେ ହଠାତ୍ ଦେହ ଝାଳେଇବା
ଉପରୋକ୍ତ ବିନ୍ଦୁ ଗୁଡ଼ିକ ଟିବି ରୋଗର ପ୍ରମୁଖ ଲକ୍ଷଣ ।
ଚିକିତ୍ସା
ଟିବି ରୋଗ ଚିହ୍ନଟ ହେଲେ ରୋଗୀଙ୍କୁ ୬ରୁ ୯ ମାସ ପର୍ଯ୍ୟନ୍ତ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଯଦି ଠିକ୍ ଭାବେ ଚିକିତ୍ସା ନ କରାଯାଏ ତେବେ ଏହି ରୋଗ ପୁଣିଥରେ ଫେରିବାର ଦ୍ୱିଗୁଣା ଆଶଙ୍କା ରହିଛି । ଟିବି ରୋଗୀଙ୍କ ପାଇଁ ଉପଲବ୍ଧ ମେଡିସିନ୍ କୋର୍ସ ପୂରା କରିବା ଗୁରୁତ୍ୱପୂର୍ଣ୍ଣ । ସଂକ୍ରମିତ ରୋଗୀ ପାଖରେ ଯଦି ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଅଧିକ ସମୟ ରହିବାକୁ ପଡ଼ୁଥାଏ ତେବେ ସେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ ।