ଉଦଘାଟନ ହେଲା ଅଙ୍କୁର-୨: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଜମିବ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ଆନୁକୁଲ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅଙ୍କୁର-୨ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାସ୍କର୍ଯ୍ୟବିତ୍ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ପାରମ୍ପରିକ ଭାସ୍କର୍ଯ୍ୟ କଳାର ବିଶେଷତ୍ଵ ସଂପର୍କରେ ଆଲୋଚନା କରିବା ସହ ଏହି କାର୍ୟ୍ୟକ୍ରମ ଜରିଆରେ ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ମାନେ ନିଜର ଦକ୍ଷତା ବଳରେ ଉନ୍ନତ ମାନର ଭାସ୍କର୍ଯ୍ୟ କୃତି ନିର୍ମାଣ କରି ଆମ ଓଡ଼ିଆ ସଂସ୍କୃତିକୁ ଋଦ୍ଧିମନ୍ତ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ବିଶିଷ୍ଟ ସ୍ଥପତି ଶ୍ରୀଯୁକ୍ତ ରବି ରଥ ଯୋଗ ଦେଇ ଓଡ଼ିଆ ସଂସ୍କୃତିର ଅନ୍ୟତମ ଗୌରବ ଆମର ଭାସ୍କର୍ଯ୍ୟ ଐତିହ୍ୟ ପ୍ରତି ସମସାମୟିକ ଯୁବପିଢି ଆକର୍ଷିତ ହେବାସହ ନିଜର ଶିଳ୍ପୀ ଚାତୁର୍ଯ୍ୟ ଜରିଆରେ ଆକର୍ଷଣୀୟ କୃତି ନିର୍ମାଣ କରିବାରେ ସମର୍ଥ ହେବେ ବୋଲି ଆଶା ପୋଷଣ କରିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ସଭାପତିତ୍ୱ ବକ୍ତବ୍ୟ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ସଦାସର୍ବଦା ନବ ପ୍ରତିଭାମାନଙ୍କୁ ପର୍ୟ୍ୟାପ୍ତ ସୁଯୋଗ ଦେବାପାଇଁ ପ୍ରତିଶୃତି ବଦ୍ଧ ବୋଲି ସୂଚନା ଦେବା ସହ ଏହି ଭଳି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଯୁବ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। କୁଳ ସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଏହି ସାଂସ୍କୃତିକ ବିନିମୟ ଶିବିର ଯୁବ ଶିଳ୍ପୀ ମାନଙ୍କ ନିଜସ୍ଵୀକୃତି ଯୋଗୁଁ ସେମାନଙ୍କ ପାଇଁ ସ୍ମରଣୀୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଏକ ସପ୍ତାହ ବ୍ୟାପୀ ଆୟୋଜିତ ହେଉଥିବା ଏହି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାୟ ୨୫ ଜଣ ଯୁବ ଶିଳ୍ପୀ ମାନଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାସ୍କର୍ଯ୍ୟ ବିଭାଗର ସହଯୋଗୀ ପ୍ରଫେସର ଡ. ଉମେଶ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ପ୍ରଫେସର ଶ୍ରୀ ଅଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।