ବଡ଼ ରିସର୍ଚ୍ଚ ସନ୍ଧାନ! କୀଟପତଙ୍ଗଙ୍କୁ ମାରୁଥିବା Zombie Fungus ମଣିଷର ଜୀବନ ବଞ୍ଚାଇବ, ଫଙ୍ଗସ୍ କେମିକାଲରୁ ତିଆରି ହେବ କ୍ୟାନସରର ନୂଆ ମେଡିସିନ୍
ନୂଆଦିଲ୍ଲୀ: କ୍ୟାଟରପିଲର କୀଟପତଙ୍ଗଙ୍କୁ ମାରୁଥିବା ଜୋମ୍ବି ଫଙ୍ଗସ ମଣିଷର ଜୀବନ ବଞ୍ଚାଇବାରେ ସହାୟକ ହେବ । ନିକଟରେ କରାଯାଇଥିବା ଏକ ନୂଆ ରିସର୍ଚ୍ଚରୁ ମିଳିଛି ଏଭଳି ଏକ ବଡ଼ ସଫଳତା । ଏହି ଫଙ୍ଗସ ଠାରୁ ନିର୍ଗତ ହେଉଥିବା କେମିକାଲ କର୍କଟ ରୋଗର ନୂଆ ମେଡିସିନ ତିଆରିରେ ସହାୟକ ହୋଇପାରିବ । ଏହି ଫଙ୍ଗସକୁ ଉପଯୋଗ କରାଯାଇ ଅନେକ ପ୍ରକାରର କ୍ୟାନସର ରୋଗକୁ ରୋକିବା ଓ ତାକୁ ଠିକ୍ କରିବା ସମ୍ଭବ ହୋଇପାରେ । ପ୍ରକୃତରେ ଏହା ଏକ ଜୋମ୍ବି ଫଙ୍ଗସ, ଯାହାର ନାମ ହେଉଛି ‘କୋଡ୍ରାଏସେପସ’ । କ୍ୟାଟରପିଲରକୁ ସଂକ୍ରମିତ କରିବା ପରେ କୋଡ୍ରାଏସେପସ ପ୍ରଥମେ ତାହାକୁ ପାରାଲାଇଜ୍ କରିଦେଇଥାଏ ଓ ତା’ପରେ ତାକୁ ମାରିଦେଇଥାଏ । ମାରିବା ପୂର୍ବରୁ କୋଡ୍ରାଏସେପସ ମୃତକର ଶରୀରରୁ ସମସ୍ତ ଜରୁରୀ ପୋଷକ ତତ୍ତ୍ୱକୁ ଶୋଷି ନେଇଥାଏ । ଏହି ଅବସରରେ କୀଡ଼ାର ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । ଶେଷରେ ସେହି କୀଡ଼ା ବା କ୍ୟାଟରପିଲାରର ମୃତ୍ୟୁ ଘଟିଥାଏ । ଏହି ଅବସରରେ ଫଙ୍ଗସ ଠାରୁ ଏକ କେମିକାଲ ନିର୍ଗତ ହୋଇଥାଏ, ଯାହାକୁ କି କୋର୍ଡିସେପିନ୍ କୁହାଯାଇଥାଏ ।
ହଜାର ହଜାର ଜିନ୍ସକୁ ନେଇ ରିସର୍ଚ୍ଚ କରିବା ପରେ ଏହି କେମିକାଲ କ’ଣ କରିଥାଏ, ତା’ର ସନ୍ଧାନ ପାଇଥିଲେ । ବୈଜ୍ଞାନିକମାନେ କୋର୍ଡିସେପିନ ଟ୍ରାଇଫସଫେଟ ନାମକ ଆକ୍ଟିଭ କମ୍ପାଉଣ୍ଡ ତିଆରି କରିଥିଲେ । ସେହି ଆକ୍ଟିଭ କମ୍ବାଉଣ୍ଡ କୋଷିକାଗୁଡ଼ିର ଗତିବିଧିକୁ ବଢ଼ାଇ ଦେଇଥାଏ । ଏଥିସହିତ ତାହାକୁ ଅଧିକ ଶକ୍ତିଶାଳୀ ଓ ସକ୍ରିୟ କରିଥାଏ । ସେହି କେମିକାଲ କୋଷିକାଗୁଡ଼ିକୁ ଏକ ଶକ୍ତିଶାଳୀ କରିଦେଇଥାଏ ଯେ, ତାହା କ୍ୟାନ୍ସର ଗ୍ରସ୍ତ କୋଷିକାଗୁଡ଼ିକରୁ ଆସୁଥିବା ସିଗନାଲକୁ ମଧ୍ୟ ରୋକି ଦେଇଥାଏ । ସେଥିରେ କ୍ୟାନସରର ଗୋଟିଏ କୋଷିକା ଅନ୍ୟ କୋଷିକାକୁ ବ୍ୟାପି ପାରି ନଥାଏ । ଅର୍ଥାତ କ୍ୟାନସର କୋଷିକା ବଢ଼ି ପାରିନଥାଏ । ତେଣୁ ଜୋମ୍ବି ଫଙ୍ଗସଠାର ନିର୍ଗତ ହେଉଥିବା କେମିକାଲ ଅନେକ ପ୍ରକାରର କର୍କଟକୁ ରୋକିବାରେ ସଫଳ ହେବ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଏହି କେମିକାଲରୁ ନୂଆ କର୍କଟ ଡ୍ରଗ ତିଆରି ହୋଇପାରେ । ଫଳରେ ହିତକାରୀ କୋଷିକାକୁ କମ୍ କ୍ଷତି ପହଞ୍ଚାଇବା ସହ କ୍ୟାନସର କୋଷିକାର ବୃଦ୍ଧିକୁ ରୋକାଯାଇ ପାରିବ । ତେବେ ଏହି କେମିକାଲ କିପରି କାମ କରେ ତାହା ଜାଣିବା ଏବେ ବାକି ରହିଛି ।