ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ ଗାୟିକା ଅସୀମା ପଣ୍ଡା । ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା । ମହିଧରପୁର ବିଟ୍ ହାଉସ ଏବଂ ବଅଁରପାଳ ଥାନା ନାଁରେ ଅସୀମା ଏହି ଅଭିଯୋଗ କରିଛନ୍ତି । ୫ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ଫସି ରହିଥିବା ବେଳେ ସେ ପୋଲିସକୁ ସହାୟତା ପାଇଁ ଫୋନ୍ କରିଥିଲେ । କିନ୍ତୁ ପୋଲିସକୁ ସହାୟତା ମାଗିବା ପରେ ମଧ୍ୟ ପୋଲିସ ତାଙ୍କ କଥା ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି ।
ଅସୀମା ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ସେ ଏକ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଯାଇଥିଲେ । କିନ୍ତୁ ଫେରିବା ବେଳକୁ ୫ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକରେ ଫସି ରହିଥିଲେ ଅସୀମା । ତାଙ୍କ ସହିତ ବହୁ ଆମ୍ବୁଲାନ୍ସ ମଧ୍ୟ ସେଠାରେ ଫସି ରହିଥିଲା ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେଣୁ ପୋଲିସକୁ ସହାୟତା ପାଇଁ ସେ ଫୋନ୍ କରିଥିଲେ । କିନ୍ତୁ ପୋଲିସ ତାଙ୍କର ଅଭିଯୋଗ ଶୁଣିନଥିବା ସେ ଅଭିଯୋଗ ଆଣିଛନ୍ତି । ବିଶେଷ କରି ମହିଧରପୁର ବିଟ୍ ହାଉସ ଏବଂ ବଅଁରପାଳ ଥାନା ବିରୋଧରେ ଅଭିଯୋଗ କରିଛନ୍ତି ଗାୟିକା ଅସୀମା ପଣ୍ଡା ।