ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ବିବାହ ଋତୁ । ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଏହାକୁ ସ୍ମରଣୀୟ କରିବା ପାଇଁ ଉଭୟ ବରପକ୍ଷ ଏବଂ କନ୍ୟପକ୍ଷ ପ୍ରସ୍ତୁତିରେ ବ୍ୟସ୍ତ ରହିଥାନ୍ତି । ଭେନ୍ୟୁ ଅତିଥି ତାଲିକା, ପୋଷାକ, କ୍ୟାଟେରିଂ ଇତ୍ୟାଦି ବିଷୟରେ ପ୍ଲାନିଂ କରିବାକୁ ପଡ଼ିଥାଏ । ଏଥିମଧ୍ୟରେ ଚାପଗ୍ରସ୍ତ ହେବା ସ୍ୱାଭାବିକ । କିନ୍ତୁ ପରିବାର, ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କ ଆଶା ବେଳେ ବେଳେ ଏହି ଚାପକୁ ଆହୁରି ବୃଦ୍ଧି କରିଥାଏ । ଉତ୍ତମ ବିବାହ ଆୟୋଜନ ନିଶାରେ ଆମେ କେଉଁଠି ନା କେଉଁଠି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାଉ ।
ବିବାହ ପ୍ରସ୍ତୁତି ପାଇଁ ଯୋଜନା ଏବଂ ଦାୟିତ୍ୱ ଭାର ବ୍ୟକ୍ତିକୁ ଅଧିକ ଚାପଗ୍ରସ୍ତ ଅନୁଭବ କରାଇଥାଏ । ସମସ୍ତଙ୍କ ଖୁସି, ବଜେଟ୍ ଇତ୍ୟାଦି ବିଷୟରେ ଭାବି ଅନେକ ସମୟରେ ବ୍ୟକ୍ତି ଘାବରାଇ ଯାଇଥାନ୍ତି । ଏହାକୁ ‘ୱେଡିଂ ଏଙ୍ଗଜାଇଟି’ କୁହାଯାଏ । ବିବାହ ଭଳି ବଡ଼ ଏବଂ ମହଙ୍ଗା ଇଭେଣ୍ଟର ଆର୍ଥିକ ବୋଝ ବ୍ୟକ୍ତିର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ୱେଡିଂ ଏଙ୍ଗଜାଇଟି ପାଇଁ ନିମ୍ନଲିଖିତ କାରଣ ଦାୟୀ:
– ବଜେଟ୍ ଚିନ୍ତା ସହ ଅତିଥି ତାଲିକା
– ପରିବାର ବର୍ଗ, ସାଙ୍ଗସାଥିଙ୍କ ପରାମର୍ଶ/ ମତ
– କମ୍ ସମୟରେ ସମସ୍ତ କାମ ଶେଷ କରିବା
– ବିବାହ ଶପିଂ, ଭାର, ଅତିଥି ଚର୍ଚ୍ଚା ଇତ୍ୟାଦି
– ବିବାହ କାର୍ଡ଼ ବଣ୍ଟନ
ତେବେ ନିମ୍ନଲିଖିତ ଉପାୟ ଦ୍ୱାରା ୱେଡିଂ ଏଙ୍ଗଜାଇଟିକୁ ଦୂରେଇ ପାରିବା :
୧. ସବୁବେଳେ ଟାଇମ୍ ମ୍ୟାନେଜମେଣ୍ଟ ନିୟମ ପାଳନ କରନ୍ତୁ । ଏହା ଦ୍ୱାରା ନିଦ୍ଦିଷ୍ଟ କାର୍ଯ୍ୟ ସଠିକ ସମୟରେ ଶେଷ ହୋଇଥାଏ । ଏକ ଡାଏରୀରେ ସମସ୍ତ ଯୋଜନା ବିଷୟରେ ଉଲ୍ଲେଖ କରନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ବଜେଟ୍ ଅନୁଯାୟୀ ବିବାହ ପ୍ଲାନିଂ କରନ୍ତୁ ।
୨. କିଛି ମାସ ପୂର୍ବରୁ ବିବାହ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଫଳରେ ଶେଷ ସମୟରେ ଛାନିଆରେ ଗଡ଼ବଡ଼ କରିବା ଠାରୁ ଦୂରେଇ ରହିପାରିବେ । ଉଦାହରଣ ସ୍ୱରୂପ ମିଠା/ କ୍ୟାଟେରିଂ କିମ୍ବା ବିବାହ ମଣ୍ଡପର ଆଡଭାନ୍ସ ବୁକିଂ କରନ୍ତୁ ।
୩. ବିବାହ ପ୍ରସ୍ତୁତି ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଶେଷ କରି ଖାଦ୍ୟପେୟ ଓ ସୁନିଦ୍ରା ଉପରେ ଗୁରୁତ୍ୱାରୋପ କରନ୍ତୁ । ଶରୀରକୁ ଫିଟ୍ ଓ ମନକୁ ଫୁର୍ତ୍ତି ରଖିବା ପାଇଁ ପ୍ରାତଃ ଭ୍ରମଣ, ମେଡିଟେସନ୍, ଯୋଗାସନ ନିଜେ ସବୁ କାର୍ଯ୍ୟର ଭାର ନନେଇ ଅନ୍ୟ ପରିବାର ବର୍ଗ ଓ ସାଙ୍ଗସାଥିଙ୍କ ମଧ୍ୟରେ କାମ ବାଣ୍ଟି ଦିଅନ୍ତୁ ।
୪. ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ସମସ୍ତେ ନିଜ ସାମର୍ଥ୍ୟ ଅନୁଯାୟୀ ବିବାହ ପ୍ରସ୍ତୁତି କରିଥାନ୍ତି । ତେଣୁ ଲୋକଦେଖାଣିଆ ଠାରୁ ଦୂରେଇ ରୁହନ୍ତୁ ।