ଆସିବେ ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ! ଶେଷଥର ଲାଗି ୨୦୨୧ରେ ଭାରତରେ ପଡ଼ିଥିଲା ପାଦ

ମସ୍କୋ: ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଭାରତ ଆସିବେ । କେଉଁ ତାରିଖରେ ପୁଟିନ ଭାରତ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର କରାଯାଇନାହିଁ । କିନ୍ତୁ ପୁଟିନ୍ ନିକଟ ଭବିଷ୍ୟତରେ ଭାରତ ଗସ୍ତରେ କରିବେ ବୋଲି ସ୍ପଷ୍ଟ କରିଛି କ୍ରେମଲିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ରୁଷିଆ ଗସ୍ତ କରିସାରିଥିବାବେଳେ ବର୍ତ୍ତମାନ ପୁଟିନଙ୍କ ପାଳି, ସେ ନିହାତି ଭାବେ ଭାରତ ଯିବା ଆବଶ୍ୟକ ହୋଇପଡ଼ିଥିବା କହିଛନ୍ତି କ୍ରେମଲିନର ପ୍ରେସ ସେକ୍ରେଟାରି ଡିମିଟ୍ରି ପସକୋଭ । ବ୍ରିକ୍ସ ସମ୍ମିଲନୀ ବେଳେ ପୁଟିନ୍ ଓ ରୁଷିଆର ଉପ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିଥିଲେ । ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ଦିନରେ ଟ୍ରେଡ୍, ଏନର୍ଜି ନିବେଶ ପାଇଁ ଭାରତ ସହିତ ଯୋଡ଼ି ହେବା ଲାଗି ଆଲୋଚନା ହୋଇଥିଲା ।

ଭାରତ ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମ୍ପର୍କରେ ମଧ୍ୟ ଡିମିଟ୍ରି କହିଛନ୍ତି । ଭାରତ ଓ ଚାଇନା ମଧ୍ୟରେ ଶାନ୍ତି ରକ୍ଷା ଆଲୋଚନା ସଫଳ ହେଲେ ବିଶ୍ୱ ପାଇଁ ଏହା ଲାଭଦାୟକ ହେବ । ତେବେ ଏ ଦୁଇ ଦେଶର ଆଲୋଚନା ଓ ନିଷ୍ପତ୍ତିରେ ରୁଷିଆ ସମେତ କୌଣସି ବିଦେଶ ରାଷ୍ଟ୍ରର ଭାଗିଦାରୀ ନ ଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ୨୦୨୧ ଡିସେମ୍ବର ୬ ତାରିଖରେ ପୁଟିନ ଶେଷଥର ଲାଗି ଭାରତ ଭ୍ରମଣରେ ଆସିଥିଲେ । ୨୦୨୨ରୁ ରୁଷିଆ- ୟୁକ୍ରେନ୍ ଯୁଦ୍ଧ ପରଠାରୁ ପୁଟିନ ଭାରତ ଆସି ନାହାନ୍ତି । ଆସନ୍ତା ଫେବୃୟାରୀରେ ରୁଷି-ୟୁୂକ୍ରେନ୍ ଯୁଦ୍ଧକୁ ୩ ବର୍ଷ ବିତିଯିବ ।