ନୂଆଦିଲ୍ଲୀ: ଏସିଆ ମହିଳା ହକି ଚମ୍ପିଆନସିପ୍ ରେ ଆଜି ଭାରତ ଏବଂ ଚୀନ ମଧ୍ୟରେ ହେବ ଫାଇନାଲ ଟକ୍କର । ସେମି ଫାଇନାଲରେ ଜାପାନକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଜାପାନ ବିପକ୍ଷରେ ଏକପାଖିଆ ବିଜୟ ସହ ଭାରତ ଫାଇନାଲ ପୂର୍ବରୁ ନିଜ ଆତ୍ମବିଶ୍ୱାସ ମଧ୍ୟ ଦୃଢ କରିଛି । ତେବେ ଟ୍ରଫି ପାଇଁ ଫାଇନାଲ ଲଢେଇରେ ଭାରତ ଚୀନକୁ ସାମନା କରିବ । ଏହି ମହାମୁକାବିଲାକୁ ହକି ପ୍ରେମୀ ଅପେକ୍ଷା କରି ରହିଛନ୍ତି । ଅନ୍ୟ ପକ୍ଷରେ ଚୀନ ସେମି ଫାଇନାଲରେ ମାଲେସିଆକୁ ୩-୧ରେ ପରାସ୍ତ କରି ଫାଇନାଲକୁ ଏଣ୍ଟ୍ରି କରିଛି ।
ବିହାରରେ ପ୍ରଥମ ଥର ଆୟୋଜିତ ହେଉଥିବା ଏସିଆ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ମହାସଂଘର୍ଷ ଦେଖିବାକୁ ମିଳିବ । ଏହି ମ୍ୟାଚରେ ଭାରତ-ଚୀନ ଲଢେଇ ଖୁବ ମଜାଦାର ରହିବ ବୋଲି ଆଶା କରାଯାଉଛି । ତେବେ ଫାଇନାଲ ମ୍ୟାଚ ଦେଖିବା ପାଇଁ କେନ୍ଦ୍ର କଳା ସଂସ୍କୃତି ଯୁବ ଏବଂ ଖେଳମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଜଳ ସଂସାଧନ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ରାଜଗୀର ସ୍ପୋର୍ଟସ ଏକାଡେମୀରେ ଉପସ୍ଥିତ ରହିବେ । ହକି ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିବା ପରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଥାଉ କି, ଭାରତ-ଜାପାନ ସେମି ଫାଇନାଲରେ ଟିମ ଇଣ୍ଡିଆର ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ହାଫ୍ ରେ ଉଭୟ ଦଳ ସମାନ ସ୍କୋରରେ ରହିଥିଲେ । କିନ୍ତୁ ଦ୍ୱିତୀୟ ହାଫ୍ ତୃତୀୟ କ୍ୱାର୍ଟରର ୪୮ତମ ମିନିଟରେ ଭାରତ ପେନାଲ୍ଟି ସ୍କୋର ଗୋଲ୍ କରିଥିଲେ ନବନୀତ କୌର । ଏହାପରେ ଲଗାତାର ଜାପାନକୁ ଚକମା ଦେଇଛି ଟିମ ଇଣ୍ଡିଆ । ତେବେ ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଭାରତ ଆଉ ଏକ ଗୋଲ୍ କରିବା ସହ ଜାପାନ ବିପକ୍ଷରେ ୨-୦ରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ।