ସମ୍ଭଲ- ଉତ୍ତର ପ୍ରଦେଶର ଜାମା ମସଜିଦ ସର୍ଭେକୁ ନେଇ ଅଶାନ୍ତ ସମ୍ଭଲ । ସର୍ଭେ ବେଳେ ପଥର ମାଡ ସହ ପୋଡାଜଳାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ସର୍ଭେ ଟିମ କୋର୍ଟଙ୍କ ନିର୍ଦ୍ଦେଶରେ ରବିବାର ସେଠାରେ ପହଞ୍ଚିବା ବେଳେ ସ୍ଥାନୀୟ ଲୋକ ଏହାର ବିରୋଧ କରି ପୋଲିସ ଓ ଟିମ ଉପରକୁ ଢେଲା ପଥର ଫିଙ୍ଗିଥିଲେ । ଏଥିସହ ରାସ୍ତା କଡରେ ଥିବା ଗାଡି ମୋଟରରେ ନିଆଁ ଲଗାଇ ଦେଇଥିଲେ ।
ମୋଗଲ ଶାସନ କାଳରେ ସେଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ ନେଇ ସ୍ଥାନୀୟ କୋର୍ଟରେ ମାମଲା ଦାୟର ହୋଇଥିଲା । ଏହି ଆବେଦନ ଆଧାରରେ ଶୁଣାଣି କରି ମସଜିଦ ଭିତର ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଦିନ ପ୍ରଥମ ଥର ସର୍ବେକ୍ଷଣ ହୋଇଥିଲା । କିନ୍ତୁ ରବିବାର ସର୍ଭେ ପାଇଁ ସେଠାରେ ପୋଲିସ ସୁରକ୍ଷା ଭିତରେ ଟିମ ପହଞ୍ଚିବା କ୍ଷଣି କିଛି ଉପଦ୍ରବକାରୀ ସେମାନଙ୍କ ଉପରକୁ ଟେକା ପଥର ଫିଙ୍ଗିଥିଲେ । ଏମିତି କି କିଛି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଭିଡକୁ ଘଉଡେଇବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଓ ରବର ବୁଲେଟ ପ୍ରୟୋଗ କରିବାକୁ ପଡିଥିଲା ।
ଏହି ହିଂସାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ହିଂସା ସୃଷ୍ଟିକାରୀଙ୍କୁ ସମସ୍ତଙ୍କୁ ଗିରଫ କରିବାକୁ ପୋଲିସ ସେଠାରେ ଥିବା ସିସିଟିଭି ଯାଞ୍ଚ ମଧ୍ୟ କରୁଛି । ଏହାରି ଭିତରେ ମାମଲାକୁ ନେଇ ରାଜନୀତି ଉଗ୍ର ହେବାରେ ଲାଗିଛି । ସପା ଓ ବସପା ଏଥିରେ ଯୋଗୀ ସରକାରକୁ ଘେରିବାକୁ ଉଦ୍ୟମ କରିଛି । ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ବିଜେପି ସରକାର ଜାଣିଶୁଣି ଏମିତି ସ୍ଥିତି ସୃଷ୍ଟି କରିଛି । ଥରେ ସର୍ଭେ ହୋଇଥିବା ବେଳେ ଆଜି ସକାଳୁ କାହିଁକି ସର୍ଭେ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଖିଲେଶ ।