ଆଇପିଏଲ ମେଗା ଅକ୍ସନ ୨୦୨୫ Live: ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ସନ ୨୦୨୫ର ପ୍ରଥମ ଦିନରେ ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ପରି ଖେଳାଳିମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟିରେ କିଣିଥିବା ବେଳେ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ । ସେହିପରି ଶ୍ରେୟସଙ୍କୁ ପଞ୍ଜାବ ୨୬.୭୫ କୋଟିରେ କିଣିଥିବା ବେଳେ ସେ ଦ୍ୱିତୀୟ ଦାମୀ ଖେଳାଳି ହୋଇଥିଲେ । ମୋଟ ୮୪ ଖେଳାଳିଙ୍କ ପାଇଁ ନିଲାମ ଡକା ଯାଇଥିବା ବେଳେ କେବଳ ୧୨ ଜଣ ଖେଳାଳିଙ୍କୁ କୌଣସି ଟିମ୍ କିଣିନଥିଲେ ।

ତେବେ ଆଜି ପେସର ଭୁବନେଶ୍ୱର କୁମାରଙ୍କୁ ଆରସିବି ୧୦.୭୫ କୋଟି ଟଙ୍କାରେ କିଣିଥିଲା । ଭୁବନେଶ୍ୱରଙ୍କୁ ନେବା ପାଇଁ ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ସେହିପରି ପେସର ଦୀପକ ଚହରଙ୍କୁ ନେବା ପାଇଁ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଟକ୍କର ହୋଇଥିବା ବେଳେ ଶେଷରେ ମୁମ୍ବାଇ ତାଙ୍କୁ ୯.୨୫ କୋଟିରେ କିଣିଥିଲା । ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏତଜୀଙ୍କୁ ଗୁଜରାଟ ୨.୪୦ କୋଟିରେ କିଣିଥିଲା । ଗତ ସିଜିନରେ ସେ ମୁମ୍ବାଇରେ ଥିଲେ । ପେସର ମୁକେଶ କୁମାର ଦିଲ୍ଲୀରେ ରହିବେ, ତାଙ୍କୁ ୮ କୋଟିରେ କିଣାଯାଇଛି । ଦକ୍ଷିଣ ଆଫ୍ରିକା ଖେଳାଳି ରାନ ରିକେଲ୍ଟନଙ୍କୁ ମୁମବାଇ ୧ କୋଟିରେ ଦଳରେ ସାମିଲ କରିଛି ।

ଏଥର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆରସିବି ୫.୭୫ କୋଟିରେ କିଣିଛି । ନୀତିଶ ରାଣାଙ୍କୁ ରାଜସ୍ଥାନ ୪.୨୦ କୋଟିରେ କିଣିଛି । ମାର୍କୋ ଜାନସେନଙ୍କୁ ପଞ୍ଜାବ ୭ କୋଟିରେ କିଣିଛି । ଫାପ୍ ଡୁପ୍ଲେସିସଙ୍କୁ ଦିଲ୍ଲୀ ୨ କୋଟିରେ କିଣିଛି । ରୋଭମେନ ପାୱେଲଙ୍କୁ ଦିଲ୍ଲୀ ୧.୫୦ କୋଟିରେ, ୱାଶିଂଟନ ସୁନ୍ଦରଙ୍କୁ ଗୁଜରାଟ ୩.୨୦ କୋଟିରେ, ସାମ କରଙ୍କୁ ଚେନ୍ନାଇ ୨.୪୦ କୋଟିରେ, ଜୋସ ଇଂଲିସଙ୍କୁ ପଞ୍ଜାବ ୨.୬୦ କୋଟିରେ କିଣିଛି । ଆଫଗାନୀ ସ୍ପିନର ଅଡ୍ଲାହ ଗଜନଫରଙ୍କୁ ମୁମ୍ବାଇ ୪.୮ କୋଟିରେ କିଣିଛି । ଲକି ଫର୍ଗ୍ୟୁସନଙ୍କୁ ପଞ୍ଜାବ ୨ କୋଟିରେ କିଣିଛି । ତୁଷାର ଦେଶପାଣ୍ଡେଙ୍କୁ ରାଜସ୍ଥାନ ୬.୫ କୋଟିରେ କିଣିଛି ।