ପୁରୀ: ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ତେଣୁ ଆସନ୍ତାକାଲି(ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।
ଦ୍ୱିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପରମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ । ରତ୍ନ ସିଂହାସନ ଉପରକୁ ଯାଇ ସେମାନେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ କରାଯିବ । ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିପାରିବେ ।