ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ପରିବର୍ତ୍ତେ ନିର୍ବାଚନରେ ବାଲଟ ପେପର ବ୍ୟବହାର ଦାବି ପାଇଁ ପିଟିସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବରାଲୀଙ୍କ ପୀଠ କହିଛନ୍ତି, ‘ଯେତେବେଳେ ଆପଣ ନିର୍ବାଚନ ଜିତୁଛନ୍ତି, ତେବେ ଇଭିଏମରେ ଟାମ୍ପରିଂ ହେଉନାହିଁ । ଯେବେ ଆପଣ ନିର୍ବାଚନ ହାରୁଛନ୍ତି, ସେବେ ହିଁ ଇଭିଏମରେ ଟାମ୍ପରିଂ ହେଉଛି ।’
ଆବେଦନକାରୀ କେଏ ପାଲ କହିଛନ୍ତି ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ବାଲଟ ପେପରକୁ ପୁଣିଥରେ ଲାଗୁ କରିବା ଆବଶ୍ୟକ ଏବଂ ଇଭିଏମରେ ଟାମ୍ପରିଂର ସମ୍ଭାବନା ରହିଛି । ସେ କହିଛନ୍ତି ଯେ,
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦାବି କରିଛନ୍ତି ଯେ, ଇଭିଏମରେ ଟାମ୍ପରିଂ କରାଯାଇପାରେ । ସେ ଏଲନ ମସ୍କଙ୍କ ଏହି କଥାକୁ ମଧ୍ୟ ଜୋର ଦେଇଛନ୍ତି ଯେ, ଇଭିଏମକୁ ହ୍ୟାକ ମଧ୍ୟ କରାଯାଇପାରେ ।
ଏହି ମାମଲାକୁ ନେଇ ପୀଠ କହିଛନ୍ତି ଯେ, ଯେବେ ଚନ୍ଦ୍ରବାବୁ ନାଇଡୁ ବା ରେଡ୍ଡୀ ହାରନ୍ତି, ସେବେ ସେମାନେ କୁହନ୍ତି ଯେ, ଇଭିଏମରେ ଟାମ୍ପରିଂ କରାଯାଉଛି । ଯେବେ ଜିତୁଛନ୍ତି, ସେବେ କିଛି କହୁନାହାନ୍ତି । ଆମେ ଏହାକୁ କିପରି ଦେଖିପାରିବୁ । ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ । ଜଷ୍ଟିସ ନାଥ କହିଛନ୍ତି ଯେ, ଏହା ସେହି ସ୍ଥାନ ନୁହେଁ, ଯେଉଁଠାରେ ଆପଣ ଏହା ଉପରେ ଯୁକ୍ତି କରିପାରିବେ ।