ସୁଜାତା କାର୍ତ୍ତିକେୟନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ? ଜଣେ IAS ଅଧିକାରୀ କ୍ରମାଗତ କେତେ ଦିନ ଛୁଟିରେ ରହିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟ ରାଜନୀତିରେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ବେଶ୍ଚ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ପତ୍ନୀ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର ଆସିଛି । ଗତ ମେ ମାସ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସୁଜାତା ୬ ମାସ ପାଇଁ ଛୁଟି ନେଇଥିଲେ । ତେବେ ଉକ୍ତ ଛୁଟିକୁ ରାଜ୍ୟ ସରକାର ମଞ୍ଜୁର କରିଥିଲେ । ଏହା ମଧ୍ୟରେ ଉକ୍ତ ଛୁଟି ଅବଧି ସମାପ୍ତ ହୋଇ ସାରିଥିବା ବେଳେ ଆଉ ୬ ମାସ ପାଇଁ ସୁଜାତା ଛୁଟି ଆବେଦନ କରିଥିଲେ । ମାତ୍ର ତାଙ୍କର ଏହି ବୃର୍ଦ୍ଧିତ ଛୁଟି ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ । ନିଜ ସାନ ଝିର ୧୦ମ ପରୀକ୍ଷା ପାଇଁ ସୁଜାତା ୬ ମାସ ଛୁଟି ନେଇଥିବା ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁଜାତା ଏବେ କ’ଣ କରିବେ? କ’ଣ ରହିବ ତାଙ୍କର ପରବର୍ତ୍ତୀ ପଦକ୍ଷେପ? ଆଜି ଅର୍ଥାତ ନଭେମ୍ବର ୨୭ରେ କାର୍ଯ୍ୟରେ ଯୋଗ ଦେବାକୁ ସୁଜାତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜଣେ ଆଇଏଏସ ଅଧିକାରୀଙ୍କ ଛୁଟି ନେଇ କ’ଣ ନିୟମ ରହିଛି, ଯଦି ଜଣେ ଅଧିକାରୀଙ୍କର ଛୁଟି ନାମଞ୍ଜୁରୀ ହୁଏ ସେ କ’ଣ କରିପାରିବେ? ଭାରତୀୟ ସେବା ନିୟମ ଅନୁଯାୟୀ, ଆବଶ୍ୟକ ସ୍ଥଳେ ଆଇ ଆଇଏଏସ୍ ଅଧିକାରୀ କ୍ରମାଗତ ୫ ବର୍ଷ ପର୍ଯ୍ୟନ୍ତ ଛୁଟିରେ ରହିପାରିବେ । ମାତ୍ର ୫ ବର୍ଷ ପରେ କାର୍ଯ୍ୟରେ ଯୋଗ ନଦେଲେ ତାକୁ ଇସ୍ତଫା ବୋଲି ଧରି ନିଆଯିବ । ଛୁଟି ନାମଞ୍ଜୁର ହେଲେ ଜଣେ ଅଧିକାରୀ ଚାକିରିରୁ ଇସ୍ତଫା ଦେଇ ପାରନ୍ତି କିମ୍ବା ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି । ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ସମୟରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଥିଲା ।