ରାଞ୍ଚି: ଆଜି ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିର ମୋରାଦାବାଦୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାରୋହରେ ‘ଇଣ୍ଡି ମେଣ୍ଟ’ ର ଆନେକ ବଡ଼ ବଡ଼ ନେତାଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ରହିବେ । ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଆଜି ୪ଟାରେ ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇବେ ।
୪୯ ବର୍ଷୀୟ ସୋରେନ୍ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଇଣ୍ଡି ମେଣ୍ଟର ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ସହ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଏନସିପି ପ୍ରମୁଖ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଶିବସେନା ନେତା ଉଦ୍ଧବ ଠାକରେ, ଏସପି ମୁଖ୍ୟ ଅଖିଲେଶ ଯାଦବ, ଆରଜେଡି ଏବଂ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଏବଂ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍କୁଙ୍କ ଭଳି ଅନ୍ୟ ନେତା ସାମିଲ ହୋଇପାରନ୍ତି । ଏହି ଶପଥ ଗ୍ରହଣ ସମାରୋହ ପାଇଁ ରାଞ୍ଚି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ଏବଂ ବିଶେଷ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କହିରଖୁଛୁ ଝାଡ଼ଖଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ରାଞ୍ଚି ସହରର ସମସ୍ତ ସ୍କୁଲ ନଭେମ୍ବର ୨୮କୁ ବନ୍ଦ ରହିବ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ଇଣ୍ଡିଆ ମେଣ୍ଟ ୫୬ ଆସନରେ ବିଜୟ ହାସଲ କରିଥିଲା । ହେମନ୍ତ ସୋରେନ୍ ବିଜେପିର ଗମଲିୟେଲ ହେମ୍ବ୍ରୋମଙ୍କୁ ୩୯, ୭୯୧ ଭୋଟରେ ପରାସ୍ତ କରିଥିଲେ । ସୋରେନଙ୍କୁ ମୋଟ୍ ୯୫, ୬୧୨ ଭୋଟ୍ ମିଳିଥିବା ବେଳେ ହେମ୍ବ୍ରୋମଙ୍କୁ ୫୫, ୮୨୧ ଭୋଟ୍ ମିଳିଥିଲା । ଚଳିତ ବର୍ଷ ଜାନୁଆରୀ ୩୧ରେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ହେମନ୍ତଙ୍କୁ ଗିରଫ କରିଥିଲା । ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
रांची के जिला शिक्षा अधिकारी ने निर्देश दिया है कि मुख्यमंत्री हेमंत सोरेन के शपथ ग्रहण समारोह के मद्देनजर यातायात की भीड़ और जाम से बचने के लिए शहर के स्कूल कल, 28 नवंबर को बंद रहेंगे। pic.twitter.com/WikKnONuad
— ANI_HindiNews (@AHindinews) November 27, 2024