ଭୁବନେଶ୍ୱର- ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ଖୋଜୁଛି କ୍ରାଇମବ୍ରାଞ୍ଚ । ପନ୍ନୁ ଦେଇଥିବା ଇମେଲ ଧମକକୁ ନେଇ ଗୁଗଲକୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । ଘଟଣାର ଗୁରୁତ୍ୱକୁ ଦେଖି ଆଗକୁ ଏନଆଇଏ ଏହାର ତଦନ୍ତ କରିବ ବୋଲି କୁହାଯାଉଛି । ପନ୍ନୁ ରାଜ୍ୟର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଇମେଲରେ ଏକ ଧମକ ଦେଇଥିଲା ।
ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଡିଜି ସମ୍ମିଳନୀ କାଳରେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଇମେଲ ମିଳିଥିଲା । ଏଥିରେ ୧ ଡିସେମ୍ବରକୁ କୌଣସି ବ୍ୟକ୍ତି ବିଜୁ ପଟ୍ଟନାୟକ ଏୟାର ପୋର୍ଟକୁ ନ ଯିବାକୁ ତଥା କୌଣସି ବିମାନ ଉଡାଣ ନ ଭରିବାକୁ କୁହାଯାଇଥିଲା । ଏଥିରେ ଏକ ଅଡିଓ କ୍ଲିପ ମଧ୍ୟ ଆଟାଚ ଥିଲା । ଏହି ଅଡିଓରେ ପନ୍ନୁର ସ୍ୱର ଶୁଣିବାକୁ ମିଳିଥିଲା । ଏଥିରେ ଭୁବନେଶ୍ୱରକୁ ସିଟି ଅଫ ଟେରର ବୋଲି କହିଥିଲା ପନ୍ନୁ । ଯାହାକୁ ନେଇ ସାହୁ ପୋଲିସରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି । ସାହୁଙ୍କ ଅଫିସରୁ ସମସ୍ତ ତଥ୍ୟ ସଂଗ୍ର କରିଛି ।
ଏହା ପରେ କ୍ରାଇମବ୍ରାଞ୍ଚର ଏସଟିଏଫ ଗୁଗଲକୁ ପନ୍ନୁ ସମ୍ପର୍କିତ ତଥ୍ୟ ଦେବାକୁ ଅନୁରୋଧ କରିଛି । ତେବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଥିବା ସମୟରେ ଓ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା ଦିନ ବିମାନବନ୍ଦରରୁ ବିମାନ ନ ଉଡାଇବାକୁ ପନ୍ନୁ ଧମକ ଦେଇଥିବାରୁ ଏହା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ତେଣୁ ଏହି ଘଟଣା ଉପରେ ନାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ମଧ୍ୟ ତଦନ୍ତ କରିବ ବୋଲି କୁହାଯାଉଛି ।