ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ କ୍ଷମତାସୀନ ମେଣ୍ଟ ଜେଏମଏମ୍-କଂଗ୍ରେସ ସପକ୍ଷରେ ରହିଛି । ପୁଣି ଥରେ ରାଜ୍ୟରେ ଗଠନ ହେବ ହେମନ୍ତ ସରକାର । ଗୁରୁବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କ୍ୟାବିନେଟ୍ ବିସ୍ତାର ହେବ । ରାଜଭବନ ସ୍ଥିତ ଅଶୋକ ଉଦ୍ୟାନରେ ଅପରାହ୍ନ ୧୨ଟା ୩୦ରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ହେମନ୍ତ ସୋରେନ୍ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଥିବା ବେଳେ ବର୍ତ୍ତମାନ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ସସପେନ୍ସ ଦେଖାଦେଇଛି । ଜେଏମଏମ୍ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ଆମେ ସୌହାର୍ଦ୍ୟପୁର୍ଣ୍ଣ ଭାବରେ କ୍ୟାବିନେଟ୍ ଗଠନ କରିବୁ । ପ୍ରତ୍ୟେକ ଶ୍ରେଣୀକୁ ପ୍ରତିନିଧିତ୍ୱ ଦିଆଯିବ । ଏଥିରେ ମହିଳା, ଯୁବ ଏବଂ କୃଷକଙ୍କୁ ସାମିଲ କରାଯିବ ।’ ଜେଏମଏମ୍ ନେତୃତ୍ୱ ମେଣ୍ଟ ସରକାରରେ ପ୍ରାୟ ୧୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏଥିମଧ୍ୟରୁ ରାମଦାସ ସୋରେନ୍, ଦୀପକ ବିରୁଆ, ହଫିଜୁଲ ହସନ, ମଥୁରା ମହତୋ, ଲୁଇସ୍ ମାରାଣ୍ଡି, ଅନନ୍ତ ପ୍ରତାପ ଦେବଙ୍କ ନାଁ ରେସରେ ସାମିଲ ରହିଛି । ଆଞ୍ଚଳିକ ଓ ଜାତୀୟ ସମୀକରଣ ସହ ମହିଳା ସମୀକରଣକୁ ଦୃଷ୍ଟିରେ ରଖି ଏହି କ୍ୟାବିନେଟ୍ ବିସ୍ତାର କରାଯିବ । ନୂତନ ଚେହେରାଙ୍କୁ ସୁଯୋଗ ଦିଆଯିବା ସହ ପୁରୁଣା ଚେହେରାଙ୍କୁ ମଧ୍ୟ ବିଚାର କରାଯିବ । ପୁରୁଣା ଚେହେରାଙ୍କ ମଧ୍ୟରେ ମଙ୍ଗଲ ସିଂହ, ରାମଚନ୍ଦ୍ର ସିଂହ, ମମତା ଦେବୀ, ନମନ ଭିକ୍ସଲ କୋଙ୍ଗାଡ଼ିଙ୍କ ନାଁ ଚର୍ଚ୍ଚାରେ ରହିଛି । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଇଣ୍ଡିଆ ମେଣ୍ଟକୁ ୫୬ଟି ଆସନ ମିଳିଥିବା ବେଳେ ବିଜେପି ନେତୃତ୍ୱ ଏନଡିଏକୁ ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆସନ୍ତା ୯-୧୨ ଡିସେମ୍ବର ମଧ୍ୟରେ ବିଧାନସଭା ଅଧିବେଶନ ଡାକିବାକୁ ନିଷ୍ପତ୍ତି ନିଆଯାଇଛି ।