WHOର ଆଲର୍ଟ: କରୋନାଠୁ ଅଧିକ ବିପଦ ଏହି ଭାଇରସ, ଶରୀରରେ ବର୍ଷବର୍ଷ ଧରି ରହିପାରେ!

ନୂଆଦିଲ୍ଲୀ: ଶୀତ ଋତୁ ଆସିଲେ ଭାଇରାସ ଚିନ୍ତା ବୃଦ୍ଧି ପାଇଥାଏ । ମାରବର୍ଗ ଭାଇରସର ବିପଦ ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି । କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବିବେଚନା କରାଯାଉଥିବା ଏହି ଭାଇରସ ଶରୀରରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି । ଏଭଳି ସ୍ଥିତିରେ ସମସ୍ତେ ସାବଧାନତାର ସହିତ ରହିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ଏପରି ରୋଗୀ ଅର୍ଥାତ୍ ଯେଉଁମାନେ ଥରେ ଏହି ଭାଇରାସରେ ସଂକ୍ରମିତ ହୋଇଥିଲେ, ସେମାନେ ଅସାବଧାନ ହେବା ଉଚିତ ନୁହେଁ । ମାରବର୍ଗ ଭାଇରସକୁ ବ୍ଲିଡିଂ ଆଇ ଭାଇରସ୍ ମଧ୍ୟ କୁହାଯାଏ । ଏଥିରେ ସଂକ୍ରମିତ ହେଲେ ପ୍ରାୟ 50 ପ୍ରତିଶତ ରୋଗୀ ପ୍ରାଣ ହରାଇଥାନ୍ତି । ଏହି ରୋଗ ସୁସ୍ଥ ହେବା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ଶରୀରର ବିଭିନ୍ନ ସ୍ଥାନରେ ଲୁଚି ରହିଥାଏ ।

ମାରବର୍ଗ ମଣିଷଙ୍କ ଶରୀରରେ ଦେଖାଯାଉଥିବା ଏକ ବିରଳ ଭାଇରସ ଅଟେ । 1967 ମସିହାରେ ଜର୍ମାନୀର ମାରବର୍ଗ ଏବଂ ଫ୍ରାଙ୍କଫୋର୍ଟ୍ ସହରର ଲାବୋରେଟୋରୀରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ସଂକ୍ରମିତ ବ୍ୟକ୍ତି କିମ୍ବା ଜିନିଷକୁ ସ୍ପର୍ଶ କଲେ ଏହି ଭାଇରସ ବ୍ୟାପିଥାଏ । ଏହାର ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ନାକରୁ ରକ୍ତ ପଡିବା, ବାନ୍ତି ରକ୍ତ ଝାଡ଼ା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଯାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାରବର୍ଗ ଜୀବାଣୁ ପୁରୁଷଙ୍କ ଟେଷ୍ଟିକଲରେ ରହିପାରିବେ । କିନ୍ତୁ ଏନେଇ ଅଧ୍ୟୟନ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହେଇ ନାହିଁ । ଅନେକ ଫିଲୋଭାଇରସ୍ ସମ୍ବନ୍ଧୀୟ ତଥ୍ୟ ଦର୍ଶାଇଛି ଯେ ଗର୍ଭଧାରଣ ସମୟରେ ପ୍ଲେସେଣ୍ଟା, ସଂକ୍ରମିତ ମହିଳାଙ୍କ ଆମନିଓଟିକ୍ ଫ୍ଲୁଇଡ୍ ଏବଂ ସ୍ତନ୍ୟପାନ ସମୟରେ ସଂକ୍ରମିତ ମହିଳାଙ୍କ ଠାରୁ ଶିଶୁଙ୍କ ନିକଟରେ ଏହି ଜୀବାଣୁ ମଧ୍ୟ ସଂକ୍ରମିତ ହୋଇପାରେ । WHO ପକ୍ଷରୁ କୁହାଯାଇଛି ଯେ ଜଣେ ବ୍ୟକ୍ତି ଏହି ଜୀବାଣୁରୁ ସୁସ୍ଥ ହେବାର 7 ସପ୍ତାହ ପରେ ମଧ୍ୟ ଭାଇରାସ ଜଣଙ୍କ ପାଖରୁ ଅନ୍ୟଜଣଙ୍କୁ ଡେଇଁପାରେ, ତେଣୁ ସାବଧାନତା ଜରୁରୀ ଅଟେ ।