fbpx

ଗୋଚର ଭୂଇଁ ପାଲଟିଛି ରାଜକନିକା ଉଦ୍ୟାନ କୃଷି ବିଭାଗ ପରିସର

ରାଜକନିକା,୯ ।୭(ଓଡିଶା ଭାସ୍କର): ୧୯୯୯ ମସିହା ଜାନୁୟାରୀ ମାସ ୩ ତାରିଖ ଦିନରେ ଆଳିର ତତ୍କାଳୀନ ବିଧାୟକ ଦୋଳେଗୋବିନ୍ଦ ନାୟକଙ୍କ ଉଦ୍ୟମରେ ରାଜକନିକା ବ୍ଲକ୍‌ର ସଦରରେ ରାଜକନିକା ବ୍ଲକ୍‌ସ୍ତରୀୟ ରାଚା ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଲକ୍ଷ୍ୟଥିଲା କିସମ କିମସର ଚାରା ଉତ୍ପାଦନ ହେବ ଆଉ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ବିକ୍ରୟ କରାଯିବ । ଚାଷୀ ବିଭିନ୍ନ ଫଳଚାରାକୁ ନେଇ ଚାଷ କରି ନିଜର ଆର୍ଥିକ ମାନଦଣ୍ଡକୁ ପରିବର୍ତନ କରିବାରେ ସହାୟକ ହେବ । ହେଲେ ଦୀର୍ଘ ୨୧ ବର୍ଷ ପରେ ଯେଉଁ ଉଦ୍ଦେଶ୍ୟରେ ଏହି ପ୍ରତିଷ୍ଠା କରାଯାଇଥିଲା ତାହା ଚାଷୀଙ୍କ କାମରେ ଆସିପାରୁ ନଥିବାର ଜଣାପଡ଼ିଛି । ନାଁ ଏଠି ଚାରା ଉତ୍ପାଦନ ହେଉଛି ନାଁ କିସମ କିସମର ଫଳ ପନିପରିବା ଚାରା ବିକ୍ର କରାଯାଉଛି ।

ଏସବୁ ଭିତରେ ଅଢ଼େଇ ଏକରର ଜାଗା ଏବେ ଗୋଚର ଭୂଇଁରେ ପରିଣତ ହୋଇଛି । ମୁକୁଳା ପଡ଼ିଛି । ବାଡ଼ବନ୍ଧି ହୋଇପାରୁ ନାହିଁ । ଏହି କାରଣରୁ ପ୍ରତିଦିନ ଗାଈବଦଳ ଛେଳିମେଣ୍ଡା ଏହି ଉଦ୍ୟାନ କୃଷି ବିଭାଗ ଭିତରେ ଚରୁଛନ୍ତି । ଏଥିପ୍ରତି କାହାରି ନଜର ରହୁନାହିଁ । ଏହା ଭିତରେ ଅଧ ଏକର ଜାଗାରେ ଜବରଦଖଲ ମଧ୍ୟ ହୋଇଯାଇଛି । କେବଳ ଉଦ୍ୟାନ କୃଷି ବିଭାଗର ପୁରୁଣା ଘର ବଦଳି ଯାଇଛି । ଦୁଇମହଲା ଘର ନିର୍ମାଣ କରାଯାଇଛି । ଦୁଇ ଜଣ ଅଧିକାରୀ ଏହି ଘରେ ରହି କାଗଜପତ୍ର କାମ କରୁଛନ୍ତି । ଗତ ବର୍ଷର କିଛି ନଡ଼ିଆ ଗଛ ରହିଥିଲା ତାହା ଆଉ ନାହିଁ । ଜୁଲାଇ ମାସରେ ନଡ଼ିଆ, ବାଦାମ ଏବଂ ଆମ୍ଭ ଚାରା ଆସିଲେ ବିକ୍ରୟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । ଉଦ୍ୟାନ କୃଷି ବିଭାଗର ଜାଗାରେ ପ୍ରାୟ ୫୨ଟି ନଡ଼ିଆ ଗଛ ରହିଛି । ତାର ମଧ୍ୟ ଦେଖାଶୁଣା କେହି କରୁନାହାଁନ୍ତି । ବର୍ଷକୁ ୪ ହଜାର ପାଂଚଶହ ଟଙ୍କା ଏହି ନଡ଼ିଆ ଗଛରୁ ଆୟ ହେଉଥିବାର ବିଭାଗୀୟ ଅଧିକାରୀ କହିଛନ୍ତି । ଗୋଟିଏ ନଡ଼ିଆ ଗଛରୁ ବର୍ଷକୁ ମାତ୍ର ଦୁଇଟି କିମ୍ବା ତିନୋଟି ନଡ଼ିଆ ଫଳ ଫଳୁଥିବାର କହିଛନ୍ତି ଅଧିକାରୀ । ତାହା ହୋଇନଥିଲେ ଆୟ ୪ ହଜାର ପାଂଚଶହ ଟଙ୍କା କେମିତି ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହେଲେ ସରକାରଙ୍କ ଉଦ୍ୟାନ କୃଷି ବିଭାଗ କାହା ସ୍ୱାର୍ଥରେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଉଦ୍ୟାନ କୃଷି ବିଭାଗରେ ୨୦୧୯-୨୦ ମସିହାରେ ୨୯୭୫ଟି ନଡ଼ିଆ ଚାରା ଚାଷୀ ମାନଙ୍କୁ ଗୋଟା ୬୦ ଟଙ୍କା ହିସାବରେ ବିକ୍ରୟ କରାଯାଇଛି । ସେହିଭଳି ଆମ୍ଭଚାରା ୩୪ଟଙ୍କା ୫୦ ପଇସାରେ ବିକ୍ରି କରାଯାଇଛି । କେନ୍ଦ୍ରସରକାରଙ୍କ ନରେଗା ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନାରେ ଚାଷୀମାନଙ୍କୁ ସବ୍‌ସିଡ଼୍ ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହା ମଧ୍ୟରେ ୬ହଜାର୪୭୫ଟି ନଡ଼ିଆ ଗଛ ଚାଷୀମାନଙ୍କୁ ଦିଆଯାଇଛି । ୨୬୬ ପରିବାର ଉପକୃତ ହୋଇଥିବା ନେଇ ରାଜକନିକା ଉଦ୍ୟାନ କୃଷି ବିଭାଗର ସଂମ୍ପ୍ରସାରଣ ଅଧିକାରୀ ସ୍ୱରୂପ କୁମାର ରାୟ କହିଛନ୍ତି । ହେଲେ ରାଜ୍ୟ ସରକାର ଗ୍ରାମାଅଂଚଳରେ ଫଳ ଏବଂ ପନିପରିବା ଚାଷୀମାନଙ୍କ କୌଣସି ନୂଆ ଯୋଜନା ନକରି ଚିରାଚରିତ ଭାବେ ଆମ୍ଭ, ନଡ଼ିଆ ଏବଂ କାଜୁ ଚାରା ବିକ୍ରିକରି କାମ ସାରି ଦେଉଥିବାର ଅଭିଯୋଗ ହେଉଛି ।

ଅନ୍ୟପଟେ ଚାଷୀମାନଙ୍କୁ ସ୍ରୋତ୍ସାହନ କରାଯାଉନଥିବାର ମଧ୍ୟ ଜଣାପଡ଼ିଛି । ଯେମିତି ଧିମେଇ ଧିମେଇ ଚାଲିଛି ଉଦ୍ୟାନ ବିଭାଗ । ଯେଉଁଠି ବିଭାଗର ଉଦ୍ୟାନ ବଣ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି । ଗୋଚର ଭୂଇଁ ପାଲଟିଛି, ସେଠି ଗରିବ ଉଦ୍ୟାନ ଚାଷୀଙ୍କ କଥା ପଚାରେ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ମୁକୁଳା ପଡ଼ିଥିବା ଏହି ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକ ସଂପୂର୍ଣ୍ଣ ଭାବେ ପ୍ରାଚୀର କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ ହୋଇଛି । ଟେଣ୍ଡର ସହିଛି । କରୋନା ପାଇଁ ଏହା ଅଟକିଛି ବୋଲି ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.