ଓଡ଼ିଶାରେ ଅଲୌକିକ ଘଟଣା! ପାଣିରେ ଭାସୁଛି ‘ରାମସେତୁ ପଥର’, ମନ୍ଦିରରେ ରଖି ପଥରକୁ ପୂଜାର୍ଚ୍ଚନା କଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ତ୍ରେତୟା ଯୁଗର ପଥର ଭାସୁଥିବା କଥା ଆପଣମାନେ ପୁରାଣରୁ ଶୁଣିଥିବେ । ପଥର ଦ୍ୱାରା ତିଆରି ହୋଇଥିବା ସେତୁ ଉପରେ ପାଦ ରଖି ପ୍ରଭୁ ଶ୍ରୀରାମ ଲଙ୍କାକୁ ଯାଇ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ତେବେ ଏହା ମଧ୍ୟରେ ଶତାଧିକ ବର୍ଷର ପୁରୁଣା କାହାଣୀ ସତେ ଯେମିତି ଓଡ଼ିଶାରେ ପୁନର୍ଜନ୍ମ ନେଇଛି । ତ୍ରେତୟା ଯୁଗରେ ପଥରେ ଯେପରି ପାଣିରେ ଭାସୁଥିଲା, ଏବେ ମଧ୍ୟ ଓଡ଼ିଶାର ଏକ ସ୍ଥାନରେ ପଥର ଭାସୁଥିବାର ଦେଖିବାକୁ ମିଳିଛି ।

ଖବର ମୁତାବକ, ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଏକ ଆଶ୍ଚର୍ଯ୍ୟଜନକ ପଥର ଉଦ୍ଧାର କରାଯାଇଛି । ନଦୀରେ ଗାଧୋଉଥିବା ସମୟରେ କିଛି ଯୁବକ ପଥର ଭାସୁଥିବାର ଦେଖିବାକୁ ପାଇଥିଲେ । ଏହି କଥା ପ୍ରଘଟ ହେବା ପରେ ଉକ୍ତ ପଥରକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା । ପଥରଟିର ଓଜନ ପାଖାପାଖି ୪ କେଜି ହୋଇଥିବା ବେଳେ ଉକ୍ତ ଭାସମାନ ପଥରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ପୂର୍ବରୁ ବୈତରଣୀ ନଦୀ ଠାରୁ ଭଗ୍ନ ଶିବଲିଙ୍ଗ ମିଳିଥିବା ବେଳେ ଷୋଳମପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଅନେକ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଥିଲା । ତେବେ ଏହି ପଥର ରାମସେତୁରେ ଲାଗିଥିବା ପଥର ବୋଲି ଅନେକ ସନ୍ଦେହ କରିଥିଲେ । ତେଣୁ ଲୋକମାନେ ସେହି ପଥରକୁ ମନ୍ଦିରରେ ରଖି ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି ।