ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣି ଥରେ ମହିଳା ଜୁନିୟର ଏସିଆ କପ ହକିରେ ତା’ର ଜଲୱା ଦେଖାଇଛି । ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତ ପ୍ରତିପକ୍ଷ ଜାପାନକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଭାରତ ପକ୍ଷରୁ ମୁମତାଜ ଖାନ, ସାକ୍ଷୀ ରାଣା ଓ ଦୀପିକା ଗୋଲ ସ୍କୋର କରିଥିବା ବେଳେ ଜାପାନ ପକ୍ଷରୁ ନିକୋ ମରୁୟାମା ଏକମାତ୍ର ଗୋଲ ସ୍କୋର କରିଥିଲେ । ଆଜିର ଦ୍ୱିତୀୟ ସେମିଫାଇନାଲର ବିଜୟୀକୁ ଭାରତ ଆସନ୍ତାକାଲି ଫାଇନାଲ ମ୍ୟାଚରେ ଭେଟିବ ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଭାରତୀୟ ମହିଳା ହକି ଟିମ୍ ଏକ ବଡ଼ ସଫଳତା ହାସଲ କରିଥିଲା । ମହିଳା ଜୁନିୟର ବିଶ୍ୱକପ୍ ୨୦୨୫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଜୁନିୟର ଏସିଆ କପରେ ଥାଇଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବା ପରେ ଭାରତୀୟ ମହିଳା ଟିମ୍ ଏହି କୃତିତ୍ୱ ହାସଲ କରିଥିଲା । ଓମାନର ମସ୍କାଟ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରତିପକ୍ଷ ଥାଇଲାଣ୍ଡକୁ ୯-୦ ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲା । ଏହି ବିଜୟ ଫଳୟରେ ଆସନ୍ତା ବର୍ଷ ଚିଲି ଠାରେ ଖେଳାଯିବାକୁ ଥିବା ଏଫଆଇଏଚ ଜୁନିୟର ବିଶ୍ୱ କପ୍ ୨୦୨୫ରେ ଭାରତ ଅଂଶଗ୍ରହଣ କରିବା ନିମନ୍ତେ କ୍ୱାଲିଫାଏ କରିଥିଲା ।