ପୁରୀ: (ଓଡ଼ିଶା ଭାସ୍କର) ଆଜିଠାରୁ ରଥଯାତ୍ରାର ପକ୍ରିୟା ଆରମ୍ଭ ହୋଇଛି । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି ।
ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ତିନି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ପ୍ରଶାସନ ପାଖରେ ପୂର୍ବବର୍ଷର ୫୧ ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ମୋଟ ୮୧୪କାଠର ଆବଶ୍ୟକତା ରହିଛି । ଆସନ୍ତା ସରସ୍ୱତୀ ପୂଜାରେ ତିନି ଖଣ୍ଡ ୧୨ ଫୁଟିଆ ଧଉରା କାଠ ରଥ ଖଳାରେ ପୂଜାର୍ଚ୍ଚନା କରାଯିବ ।