ପେଟରେ ଜମିଯାଏ ମଇଦା! Momos ପାଇଁ ହୋଇପାରେ ଭୟଙ୍କର ବିପଦ, ଜାଣନ୍ତୁ ରିପୋର୍ଟ

ଓଡ଼ିଶା ଭାସ୍କର: ମଇଦା କିମ୍ବା ଅଟା ଆମ ଜୀବନର ଏକ ମୁଖ୍ୟ ଖାଦ୍ୟ ସାମଗ୍ରୀ ପାଲଟି ସାରିଛି । କାରଣ ଅଧିକାଂଶ ଲୋକେ ଦିନକୁ ପ୍ରାୟ ଥରେ କି ୨ ଥର ରୁଟି ଖାଇଥାନ୍ତି । ଘର ଖାଇବା ହେଉ କି ବାହାରେ ଖାଇବା, ଅଟା ଏବଂ ମଇଦାର ବ୍ୟବହାର ସମସ୍ତ ସ୍ଥାନରେ ହୋଇଥାଏ । ଆଜିକାଲି ଯୁବପିଢୀ ବେଶ୍ ପସନ୍ଦ କରୁଥିବା ମୋମୋଜ୍ ମଧ୍ୟୁ ମଇଦାରେ ହିଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହି ମଇଦା ପେଟକୁ ଗଲେ ଏହା ହଜମ ନ ହୋଇ ଜମାଟ ବାନ୍ଧିନିଏ ବୋଲି କୁହାଯାଏ । ମଇଦାରୁ ପୋଷକ ତତ୍ତ୍ୱ ଏବଂ ଫାଇବର ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ । ପ୍ରତିଦିନ ମଇଦା ଖାଇବା ମୋଟାପଣ, ଟାଇପ୍-୨ ଡାଇବେଟିସ, ହୃଦଘାତ ଏବଂ ପାଚକ ସମ୍ବନ୍ଧୀୟ ବିଭିନ୍ନ ରୋଗ ଏବଂ ବିପଦ ବୃଦ୍ଧି ପାଇଥାଏ ।

ବର୍ତ୍ତମାନ ସମୟରେ ରୋଗବୃଦ୍ଧି ହେବା ସତ୍ତେ୍ୱ ଅନେକ ଲୋକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ମାର୍କେଟରେ ଉପଲବ୍ଧ ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରୁ ମଇଦା ବେଶ୍ ହାନିକାରକ ବୋଲି କୁହାଯାଇଛି । କୁହାଯାଏ ଯେ, ମଇଦା ଖାଇଲେ ଏହା ପେଟରେ ହଜମ ହେବା ପରିବର୍ତ୍ତେ ଜମା ହୋଇଯାଏ ଏବଂ ପାଚନ ପ୍ରକ୍ରିୟାକୁ ପ୍ରବଳ ମାତ୍ରାରେ ପ୍ରଭାବିତ କରିଥାଏ । ଏ ନେଇ ପୋଷଣ ବିଶେଷଜ୍ଞ କହିଛନ୍ତି ଯେ, ମଇଦାକୁ କେବେ କଞ୍ଚା ଖାଇ ହୁଏ ନାହିଁ । ଖାଇବା ପୂର୍ବରୁ ଏହାକୁ ରୋଷେଇ କରିବା ଆବଶ୍ୟକ । ତେଣୁ ମଇଦା ପେଟରେ ଜମାଟ ବାନ୍ଧିବା ବା ଲାଗି ରହିବା କଥା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଶେଷଜ୍ଞ । କିନ୍ତୁ କେହି ଯଦି କଞ୍ଚା ମଇଦା ଖାଇ ନିଅନ୍ତି, ତେବେ ଏହା ପାଚନ ତନ୍ତ୍ର ଦେଇ ଯିବା ସମୟରେ ସରଳ କାର୍ବୋ ହାଇଡ୍ରେଟ ଭାବରେ ଶରୀରରେ ଅବଶୋଷିତ ହୋଇଯାଏ ।

ଆହାର ବିଶେଷଜ୍ଞ କହିଛନ୍ତି ଯେ, ମଇଦାରେ ଫାଇବର ଖୁବ କମ୍ ମାତ୍ରାରେ ରହିଥାଏ । ତେଣୁ ଏହାକୁ ଅଧିକ ଖାଇଲେ, ବଦହଜମ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ । ମଇଦାର ଗ୍ଲାଇସୋମିକ ଇଣ୍ଡେକ୍ସ ଅଧିକ ରହିଥାଏ । ମଇଦା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଶରୀରରେ ବ୍ଲଡ ସୁଗାର ଅଚାନକ ବୃଦ୍ଧି କରାଇଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ମଇଦା କୁବ ବିପଦଜନକ ହୋଇପାରେ । ମଇଦାରେ ଗ୍ଲୁଟେନ ମଧ୍ୟ ଅଧିକ ପରିମାଣରେ ରହିଥାଏ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଗ୍ଲୁଟେନ ହେଉଛି ଏକ ପ୍ଲାଣ୍ଟ କମ୍ପାଉଣ୍ଡ । ମଇଦା ସେବନ କରିବା ଦ୍ୱାରା ଅନ୍ୟାନ୍ୟ ଅଙ୍ଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଅଧିକ ମଇଦା ନ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ଏକ୍ସପର୍ଟସ ।