‘ସଂଧ୍ୟା ଥିଏଟରର ଦୁର୍ଘଟଣା ପରେ ଅଲ୍ଲୁ ଅର୍ଜୁନ କହିଲେ- ଏବେ ଫିଲ୍ମ ହିଟ୍ ହେବ’, ବିଧାୟକଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୂ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା୨ର ପ୍ରିମିୟର ସମୟରେ ସଂଧ୍ୟା ଥିଏଟରରେ ଘଟିଥିବା ଅଘଟଣ ମାମଲା ତେଲେଙ୍ଗାନା ବିଧାନସଭାରେ ଜୋରସୋରରେ ଚର୍ଚ୍ଚା ହେବା ଦେଖିବାକୁ ମିଳିଛି। AIMIMର ବିଧାୟକ ଅକବରୁଦ୍ଧୀନ ଓୱାଇସି ବିଧାନସଭା ଭିତରେ ଅଲ୍ଲୁ ଅର୍ଜୁନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ ଲଗାଇଛନ୍ତି ଯେ, ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟିଥିବା କଥା କୁହାଗଲା ସେତେବେଳେ ସେ କହିଥିଲେ; ବର୍ତ୍ତମାନ ଫିଲ୍ମ ଆହୁରି ହିଟ୍ ହେବ।

AIMIMର ବିଧାୟକ ଅକବରୁଦ୍ଧୀନ ଓୱାଇସି କହିଛନ୍ତି ଯେ, ହିରୋ ଦାୟିତ୍ୱହୀନ ଥିଲା ଏବଂ ମୃତ୍ୟୁର ସୂଚନା ଦେବା ପରେ ମଧ୍ୟ ଥିଏଟର ବାହାରକୁ ସେ ଯାଉନଥିଲେ। ଏହି ଘଟଣା ପରେ ବି ଅଲ୍ଲୁ ଅର୍ଜୁନ ଫିଲ୍ମ ଦେଖିଥିଲେ ଏବଂ ଯିବା ସମୟରେ ନିଜ କାରରୁ ଦର୍ଶକଙ୍କୁ ହାତ ହଲାଇଥିଲେ। ଅଲ୍ଲୁ ଅର୍ଜୁନ ଏହି ମାମଲା ପରେ ବି ମୃତକଙ୍କ ପରିବାର କିଭଳି ପରିସ୍ଥିତିରେ ଅଛନ୍ତି ତାହା ବୁଝିବାକୁ ଇଚ୍ଛୁକ ନଥିଲେ। ଏହି ମାମଲାରେ ତେଲେଙ୍ଗାନା ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲେ, ହେଲେ କିଛି ଘଣ୍ଟା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଯାଇଥିଲା।

ବିଧାନସଭାର ନିଜ ସମ୍ବୋଧନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦାବି କରିଛନ୍ତି ଯେ, ପୋଲିସର ଅନୁମତି ନମିଳିବା ପରେ ବି ଅଲ୍ଲୁ ଅର୍ଜୁନ ପୁଷ୍ପା-୨ର ସ୍କ୍ରିନିଂରେ ସାମିଲ ହୋଇଥିଲେ। ଥିଏଟରରେ ପ୍ରବେଶ ପୂର୍ବରୁ ଏବଂ ବାହାରକୁ ବାହାରିବା ସମୟରେ ଅଭିନେତା ନିଜ କାରର ସନରୁଫରୁ ବାହାରି ଦର୍ଶକଙ୍କୁ ହାତ ହଲାଉଥିଲେ।