ଭୁବନେଶ୍ୱର– ପରିବାର ପ୍ରତିପୋଷଣ ପାଇଁ ନୀଳ ଜଳରାଶିକୁ ଚିରି ଯାଇଥିଲେ ମାଲଦ୍ୱୀପ । ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧ ଏହି ରାଷ୍ଟ୍ରରେ ମୋଟା ଅଙ୍କ ରୋଜଗାର କରି ନିଜ ସହ ପରିବାର ପାଳନ ଥିଲା ଲକ୍ଷ୍ୟ । ଆଖିରେ ଆଖିଏ ସୁନେଲି ସ୍ୱପ୍ନ ନେଇ ଯାଇଥିଲେ । ହେଲେ ଆଜି ସେମାନଙ୍କ ସେହି ସ୍ୱପ୍ନ ଭାଙ୍ଗିଛି । ଜୀବନ ବିକଳରେ କରୁଛନ୍ତି ଆର୍ତ୍ତ ପ୍ରାର୍ଥନା । ତୁରନ୍ତ ସେମାନଙ୍କୁ ଘରକୁ ଫେରାଇ ନେବାକୁ କରୁଛନ୍ତି ଅପିଲ ।
ଏବେ ମାଲଦ୍ୱୀପରେ ଫସିରହିଥିବା ୪୦ ଓଡିଆ ରାଜ୍ୟ ସରକାରଙ୍କୁ ଭିଡିଓ ମାଧ୍ୟମରେ କରୁଛନ୍ତି ଅପିଲ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଦେଶକୁ ଫେରାଇବାକୁ କରୁଛନ୍ତି ଗୁହାରୀ । ଏବେ ପାଖରେ ନାହିଁ ଟଙ୍କା । କମ୍ପାନୀର ନିର୍ଯାତନା ହେଲାଣି ଅସହ୍ୟ । ଭିଡିଓ ବର୍ତ୍ତାରେ ସେମାନେ ମାଝୀ ସରକାରଙ୍କୁ କହିଛନ୍ତି କି, ଭଲ ରୋଜଗାର ପାଇଁ ମାଲଦ୍ୱୀପ ଆସିଥିଲେ । ଏମାନଙ୍କ ଭିତରୁ ୧୫ ଜଣ କେବଳ ଗଞ୍ଜାମ ଜିଲ୍ଲାର ।
ସେଠାରେ ଇଗ୍ନେସ ନାମକ ଏକ କମ୍ପାନୀରେ କାମ ପାଇଥିଲେ । କିନ୍ତୁ ଏକ ମାସ କାମ କରିବା ପରେ କମ୍ପାନୀ ସେମାନଙ୍କୁ ସେମାନଙ୍କୁ କହିଥିବା ଦରମା ଦେଲା ନାହିଁ । ଟଙ୍କା ମାଗିବାରୁ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଡରାଧମକା କଲେ । ଅଧିକ ମାଗିବାରୁ ସେମାନଙ୍କ ଘରର ବିଜୁଳି କାଟିଦେଲା କମ୍ପାନୀ । ଏବେ ସେମାନଙ୍କ ପାଖରେ ପଇସା ନାହିଁ । ଖାଇବା ମଧ୍ୟ କଷ୍ଟକର ହୋଇପଡିଲାଣି । ସେପଟେ କରେଣ୍ଟ କଟାଯିବାରୁ ଅନ୍ଧାରରେ କାଳ କାଟିବାକୁ ପଡୁଛି ।
ଏମିତି ଅବସ୍ଥା ଲାଗି ରହିଲେ, ଭୋକରେ ଅକାଳରେ ମୃତ୍ୟୁର ଛନକା ସେମାନଙ୍କୁ ଅତିଷ୍ଠ କଲାଣି । ତେଣି ଭିଡିଓ ବାର୍ତ୍ତା ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ।