ଭୁବନେଶ୍ବର:ଡାକ୍ତରଙ୍କୁ ଜୀବନଦାତା ବୋଲି କୁହାଯାଇଥାଏ । କୁହନ୍ତି ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ହେଲେ ଡାକ୍ତର ଯେତେବେଳେ ଜୀବନ ନିଏ ସେତେବେଳେ କାହାକୁ ବା କଣ କହିବ । ଜଣେ ନକଲି ଡାକ୍ତର ଏକ ବ୍ୟକ୍ତିର ଜୀବନ ନେଇଥିବା ନେଇ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ରୋଗୀ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ନକଲି ଡାକ୍ତରଙ୍କ ଠାରୁ ବିଭିନ୍ନ ପ୍ରକାର ଔଷଧ ଏବଂ ସାଲାଇନ ଜବତ କରାଯାଇଛି । ମୃତକ ହେଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମତ କଟା । ଅସ୍ଥାୟୀ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର । ତେବେ ନକଲି ଡାକ୍ତର କିଭଳି କ୍ଲିନିକ ଖୋଲିଲେ ଏବଂ ତାହା ପୁଣି କେହି ଜାଣିପାରିଲେ ନାହିଁ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।