ସମ୍ପତ୍ତ ତାଲିକା ଦାଖଲ ନ କଲେ କୌଣସି ବଦ୍ଧିତ ଦରମା, ପଦୋନ୍ନତି ବନ୍ଦ
ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ, କର୍ମଚାରୀ ପାନ, ଗୁଟ୍ଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିପାରିବେ ନାହିଁ।
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୫ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପାନ, ଗୁଟ୍ଖା ଖାଇବାରେ କଟକଣା ଜାରି କରାଯାଇଛି।
ଏଥିସହ ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ସମ୍ପତ୍ତ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ଓ କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ କାର୍ଯ୍ୟର ସମୀକ୍ଷା ଅବସରରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଏହି ନିର୍ଦ୍ଦେଶନାମା ଜାରି କରିବା ସହ ଏହାକୁ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ, କର୍ମଚାରୀ ପାନ, ଗୁଟ୍ଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିପାରିବେ ନାହିଁ।
ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ କାର୍ଯ୍ୟର ସମୀକ୍ଷା କରାଯିବା ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରି ୩୧ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତ ତାଲିକା ଦାଖଲ କରିବେ। ଏହା ଦାଖଲ ନ କଲେ କୌଣସି ବଦ୍ଧିତ ଦରମା, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଡ. ପାଢ଼ୀ କହିଛନ୍ତି।