ବିଜେପି ଖେଳିଲା ମହିଳା କାର୍ଡ! ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ମିଳିବ ୨୫୦୦ ଟଙ୍କା, ହୋଲି-ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ଡର

ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ । ଏଲ୍‌ପିଜି ସବ୍‌ସିଡି ୫୦୦ ଟଙ୍କା ମିଳିବ ।

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 5 ତାରିଖରେ ପଡିବ ଭୋଟ୍ । ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉିଛି । ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ବିଶେଷ କରି ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସରେ 2500 ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

ଏନେଇ ଜେପି ନଡ୍ଡା କହିଛନ୍ତି, ଭାରତ ଏବଂ ଦିଲ୍ଲୀର ଲୋକଙ୍କ ମନରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୋଦିଙ୍କ ଗ୍ୟାରେଣ୍ଟିର ଅର୍ଥ ହେଉଛି ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି ।

ଆମେ ଗରିବଙ୍କ କଲ୍ୟାଣ, ସୁଶାସନ, ମହିଳା ସମ୍ମାନ, ବିକାଶ, ଯୁବପିଢ଼ି ଏବଂ କୃଷକଙ୍କ ସଶକ୍ତିକରଣ ଏବଂ ଶ୍ରମିକ ବର୍ଗକୁ ମୁଖ୍ୟଧାରାରେ ସାମିଲ କରିବା ଆମର ଲକ୍ଷ୍ୟ କରିଥିଲୁ ଏବଂ ଆଜି ମୁଁ ଖୁସି ଯେ ନୀତି ଆୟୋଗ ଅନୁଯାୟୀ, 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି ବୋଲି ନଡ୍ଡା କହିଛନ୍ତି ।

ମହିଳାଙ୍କ ପାଇଁ ବଡ ଘୋଷଣା- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର ଘୋଷଣା କରିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି ସରକାର ଗଠନ କରେ, ତେବେ ରାଜ୍ୟର ଗରିବ ମହିଳାଙ୍କୁ ପ୍ରତିମାସରେ 2500 ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସିଲିଣ୍ଡର ଉପରେ 500 ଟଙ୍କାର ସବସିଡି ଦିଆଯିବ ଏବଂ ହୋଲି ଏବଂ ଦୀପାବଳିରେ ଗୋଟିଏ ସିଲିଣ୍ଡର ମାଗଣା ଦିଆଯିବ।

ଏହା ସହିତ, ଜେପି ନଡ୍ଡା ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ଗଠନ ହେଲେ ମଧ୍ୟ ଦିଲ୍ଲୀରେ ଚାଲୁଥିବା ସମସ୍ତ ଜନକଲ୍ୟାଣକାରୀ ଯୋଜନା ଜାରି ରହିବ। ସେହି ସମସ୍ତ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଉପାୟରେ ସୁଦୃଢ଼ ​​କରାଯିବ ଏବଂ ସେଗୁଡ଼ିକୁ ଦୁର୍ନୀତି ମୁକ୍ତ ମଧ୍ୟ କରାଯିବ ।