ରଣଜୀ ଟ୍ରଫିରୁ ବାଦ୍ ପଡ଼ିଲେ ବିରାଟ କୋହଲି? ଏଥିପାଇଁ ନେଲେ ଏତେ ବଡ଼ ନିଷ୍ପତ୍ତି
ଆଉ ରଣଜୀ ଟ୍ରଫି ଖେଳିବେନି ବିରାଟ, ଏହି କାରଣରୁ ନେଲେ ଏପରି ନିଷ୍ପତି। ଜାଣନ୍ତୁ କାହିଁକି ବାଦ୍ ପଡ଼ିଲେ କୋହଲି!
ନୂଆଦିଲ୍ଲୀ: ନିକଟରେ ବିସିସିଆଇ ଏକ ‘୧୦ ପଏଣ୍ଟ୍ ପଲିସି’ ଜାରି କରିଛି, ଯାହା ଅନୁଯାୟୀ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଘରୋଇ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ହେବ।
ରଣଜୀ ଟ୍ରଫିରେ ବିରାଟ ଦିଲ୍ଲୀ ଦଳରେ ସାମିଲ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ଜାନୁଆରି ୨୩ରୁ ଆରମ୍ଭ ହେବ।
କୋହଲିଙ୍କ ବେକରେ ଯନ୍ତ୍ରଣା: ଏବେ ଏକ ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ବେକ ଯନ୍ତ୍ରଣା କାରଣ ଦର୍ଶାଇ ରଣଜୀ ଟ୍ରଫିର ପରବର୍ତ୍ତୀ ମ୍ୟାଚ୍ରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।
ଇଏସପିଏନ୍ କ୍ରିକଇନ୍ଫୋ ଅନୁଯାୟୀ, କୋହଲି ବିସିସିଆଇ ମେଡିକାଲ ଷ୍ଟାଫଙ୍କୁ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ବେକ ସମସ୍ୟାରୁ ସୁସ୍ଥ ହୋଇନାହାନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଏହି ଆଘାତ ଲାଗିଥିଲା। ଜାନୁଆରୀ ୨୩ରୁ ଦିଲ୍ଲୀ-ସୌରାଷ୍ଟ୍ର ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଋଷଭ ପନ୍ତ ଦିଲ୍ଲୀ ପକ୍ଷରୁ ଖେଳିବା ନିଶ୍ଚିତ ହୋଇସାରିଛି।
ଗ୍ରୁପ୍ ଡିରେ ଦିଲ୍ଲୀ ଓ ସୌରାଷ୍ଟ୍ର ରହିଛନ୍ତି। ଦିଲ୍ଲୀ ଏବେ ଟେବୁଲର ଚତୁର୍ଥ ଓ ସୌରାଷ୍ଟ୍ର ଷଷ୍ଠ ସ୍ଥାନରେ ରହିଛି।
ବିସିସିଆଇର ‘୧୦ ପଏଣ୍ଟ ନୀତି’ ଅନୁଯାୟୀ ଯଦି କୌଣସି ଖେଳାଳି ଘରୋଇ ମ୍ୟାଚ୍ ଖେଳିବାକୁ ମନା କରନ୍ତି ତେବେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ।
ସେହିପରି କୌଣସି ପରିସ୍ଥିତିରେ ଖେଳାଳିଙ୍କୁ ଘରୋଇ ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅନୁମୋଦନ ନେବାକୁ ପଡ଼ିବ।
କେଏଲ୍ ରାହୁଲ ବି ଆଉଟ୍!: ଇଏସ୍ପିଏନ୍ କ୍ରିକଇନ୍ଫୋ ଅନୁଯାୟୀ, କେଏଲ୍ ରାହୁଲଙ୍କ କହୁଣୀରେ ଆଘାତ ଜନିତ ସମସ୍ୟା ରହିଛି, ଯେଉଁକାରଣରୁ ସେ ପଞ୍ଜାବ ବିପକ୍ଷ ମ୍ୟାଚ୍ ରେ କର୍ଣ୍ଣାଟକ ପକ୍ଷରୁ ଖେଳିପାରିବେ ନାହିଁ।
ଜାନୁଆରି ୩୦ରୁ ରଣଜୀ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟର ଶେଷ ରାଉଣ୍ଡ ଖେଳାଯିବାକୁ ଥିବାରୁ କୋହଲି ଓ ରାହୁଲଙ୍କ ପାଖରେ ରଣଜୀ ଟ୍ରଫି ଖେଳିବାର ସୁଯୋଗ ରହିବ। ଏହାପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବ୍ରୁଆରି ୬ରୁ ଖେଳାଯିବ।