ରାଜଧାନୀରେ ଆଉ ଦେଖିବାକୁ ମିଳିବନି ଟ୍ରାଫିକ ଭିଡ଼, ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱରରେ ଆଉ ହେବନି ଟ୍ରାଫିକ ଭିଡ଼। କି ଘଣ୍ଟା ଘଣ୍ଟା ଆଉ ଭିଡ଼ ଭିତରେ ଫସି ରହିବାକୁ ପଡ଼ିବନି। ବିଭିନ୍ନ ଯୋଜନା କରିଛନ୍ତି ସରକାର। ଭିଡ଼ ରୋକିବାକୁ ୭ ହଜାର କୋଟି ଟଙ୍କାର ଯୋଜନା ହୋଇଛି।
ଭୁବନେଶ୍ୱର: ଆଉ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି। ଲୋକଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପାଖାପାଖି ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି।
ଏଣିକି ଆଉ ସ୍ମାର୍ଟସିଟିର ଲୋକମାନଙ୍କୁ ଟ୍ରାଫିକ ସମସ୍ୟାର ସମ୍ମଖୀନ ହେବାକୁ ପଡିବ ନାହିଁ। ଏଣିକି ଖୋଲା ରାସ୍ତା ଯାତାୟତ କରିପାରିବେ ରାଜଧାନୀବାସୀ। ଟ୍ରାଫିକ ଜାମରୁ ମୁକ୍ତି ପାଇପାରିବେ ଏନେଇ ଏକ ବଡ଼ ଯୋଜନା କରିଛନ୍ତି ରାଜ୍ୟ ସରକାର। ଯାହାକି ବହତୁ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।
କ’ଣ ରହିଛି ଯୋଜନା: ଟ୍ରାଫିକ ଭିଡ଼ କମାଇବାକୁ ରାଜ୍ୟ ସରକାର ଯେଉଁ ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି। ସେଥିରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡ଼ର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛନ୍ତି।
ଏହାସହ ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ତଥା କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି।
କେଉଁଠି କ’ଣ ନିର୍ମାଣ କରାଯିବ: ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକସରୁ ପଥରଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ଜାରି ରହିଛି।
ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣ ପାର୍କରୁ ବରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି। ତା ସହିତ ୬୪ କିଲୋମିଟରର ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ।
ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ୍ ରାସ୍ତା ହେବ। ଭୁବନେଶ୍ୱରର ସମ୍ପ୍ରସାରଣ ପାଇଁ ଆଉଟର୍ ରିଙ୍ଗ ରୋଡ୍ ଯୋଜନା ପ୍ରସ୍ତୁତ ହୋଇଛି। ଯାହାଦ୍ୱାରା ସ୍ମାର୍ଟସିଟିରେ ଆଉ ଟ୍ରାଫିକ ସମସ୍ୟା ରହିବ ନାହିଁ।