ପ୍ରୟାଗରାଜ: ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ବିଶେଷ ଅମୃତ ସ୍ନାନ ଜାରି ରହିଛି ।
ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କୁ ‘ଜିରୋ ଏରର’ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସକାଳ ୮ଟା ପର୍ଯ୍ୟନ୍ତ ପ୍ରାୟ ୪୧.୯୦ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି । ସେହିପରି ଫେବୃଆରୀ ୧ ତାରିଖ ଦିନ ୩୩.୬୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ।
ସମୀକ୍ଷା ବୈଠକ: ମୌନୀ ଅମାବାସ୍ୟା ଦିନ ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ଶନିବାର ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଏକ ସମୀକ୍ଷା ବୈଠକ କରିଥିଲେ ।
ଅମୃତ ସ୍ନାନ ସମୟରେ ଶ୍ରଦ୍ଧାଳୁ, ସାଧୁସନ୍ଥ, ଦେଶ ଓ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଟ୍ରାଫିକ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଖଡ଼ାର ପାରମ୍ପରିକ ଶୋଭାଯାତ୍ରାର ଭବ୍ୟ ଆୟୋଜନ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ କହିଥିଲେ ।
ଅଧିକ ଭିଡ଼: ବସନ୍ତ ପଞ୍ଚମୀ ପାଇଁ ଫେବୃଆରୀ ୨ ଓ ୩ ତାରିଖ ଦିନ ମହାକୁମ୍ଭରେ ଅଧିକ ଭିଡ଼ ଦେଖାଯିବ । ମୌନୀ ଅମାବାସ୍ୟା ଦିନ ସ୍ନାନରୁ ବଞ୍ଚିତ ଶ୍ରଦ୍ଧାଳୁ ମଧ୍ୟ ଏଥର ସାମିଲ ହୋଇପାରନ୍ତି ।
ଏଥର କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଯୋଗୀ ସରକାରଙ୍କ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଅପରପକ୍ଷରେ ବିଶେଷ ସ୍ନାନ ଦିବସ ଅବସରରେ ବିଶାଳ ଜନସମୁଦ୍ରକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ କେତେ ଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା ।