ନୂଆଦିଲ୍ଲୀ: ‘ଆପ୍’କୁ ଲାଗିଲା ବଡ଼ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ।
ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।
୧୦ମ ରାଉଣ୍ଡରେ କେଜରିୱାଲଙ୍କୁ ମୋଟ ୨୦ , ୧୯୦ ଭୋଟ୍ ମିଳିଥିବା ବେଳେ ପରଭେଶ ବର୍ମାଙ୍କୁ ମୋଟ୍ ୨୨, ୦୩୪ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କୁ ମୋଟ୍ ୩୫୦୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କେଜରିୱାଲ ପରଭେଶଙ୍କୁ ପଛରେ ପକାଇ ଲିଡ୍ କରୁଥିଲେ ।
ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ତାଙ୍କ ଦଳ ନିର୍ବାଚନରେ ବିଜୟୀ ହୁଏ, ତେବେ ସେ ପୁଣି ଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ।
ସେ ଏହା ମଧ୍ୟ କହିଥିଲେ ଯେ ଆତିଶୀ କେବଳ ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ । କିନ୍ତୁ ଏବେ ଅରବିନ୍ଦ କେଜରିୱାଲ ନିଜ ଆସନରୁ ନିର୍ବାଚନ ହାରି ଯାଇଛନ୍ତି ।
କେଜରିୱାଲଙ୍କ ପରାଜୟକୁ ଆମ ଆଦମୀ ପାର୍ଟି ପାଇଁ ସବୁଠାରୁ ବଡ଼ ଝଟକା ବୋଲି ବିବେଚନା କରାଯାଉଛି । ଆପରେ କେଜରିୱାଲ ଏକମାତ୍ର ଚେହେରା ଯାହାଙ୍କ ନାମରେ ଦଳ ଭୋଟ ପାଉଛି । ବର୍ତ୍ତମାନ କେଜରିୱାଲ ନିର୍ବାଚନ ହାରିବା ପରେ ଆଗକୁ ଦଳର କଣ ହେବ ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେଜରିୱାଲଙ୍କୁ ପରାସ୍ତ କରିବା ପରେ, ପରଭେଶ ବର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରିଥିଲେ । ସେ ପରଭେଶଙ୍କୁ ତୁରନ୍ତ ଭେଟିବାକୁ ଡାକିଛନ୍ତି । ଏଭଳି ସ୍ଥିତିରେ, ବିଜେପି ନୂତନ ସରକାରରେ ପରଭେଶଙ୍କୁ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଅନୁମାନ କରାଯାଉଛି ।