ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ କରିବେ ପ୍ରୟାଗରାଜ, ଆସନ୍ତାକାଲି ସଙ୍ଗମରେ ପକାଇବେ ବୁଡ଼

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପ୍ରୟାଗରାଜ ଯିବେ। ଏହି ସମୟରେ ସେ ସଙ୍ଗମରେ ବୁଡ଼ ପକାଇବେ।

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏଥର ପ୍ରୟାଗରାଜର ମହାକୁମ୍ଭରେ ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବୁଡ଼ ପକାଇବେ।

ରବିବାର ଜାରି ଏକ ଅଫିସିଆଲ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଠ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରୟାଗରାଜରେ ରହିବେ। ଏହି ସମୟରେ ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ସେ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ।

ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ। ଦେଶର ପ୍ରଥମ ନାଗରିକଙ୍କର ସଂଗମରେ ବୁଡ଼ ପକାଇବା ଏକ ଐତିହାସିକ ମୁହୂର୍ତ୍ତ ରହିବ।