Youtubeରେ ପ୍ରଶ୍ନପତ୍ର ବିକ୍ରି ଘଟଣାର ପର୍ଦ୍ଦାଫାଶ, ସହକାରୀ ଶିକ୍ଷକଙ୍କ ସହ ୫ ଜଣଙ୍କୁ ବାନ୍ଧିନେଲା ପୋଲିସ
ୟୁଟ୍ୟୁବ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି: ୟୁଟ୍ୟୁବର ଓ ଜଣେ ସହକାରୀ ଶିକ୍ଷକ ଗିରଫ
କଟକ: ଅଷ୍ଟମରୁ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ବିକ୍ରି ଅଭିଯୋଗରେ କଟକ ସାଇବର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ୟୁଟ୍ୟୁବର ଏବଂ ଜଣେ ସହକାରୀ ଶିକ୍ଷକ ଥିବା ଜଣାପଡ଼ିଛି।
କଟକ ସାଇବର ଥାନା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି ହେଉଥିଲା। ପ୍ରଶ୍ନପତ୍ର ବିକ୍ରି ରାକେଟକୁ ଧରବା ସହ ୪ଜଣ ୟୁଟ୍ୟୁବର ଏବଂ ଜଣେ ସହକାରୀ ଶିକ୍ଷକଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ବିକ୍ରି ପଛରେ ବହୁତ ବଡ଼ ର୍ୟାକେଟ କାମ କରୁଛି। ୟୁଟ୍ୟୁବ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଉଛି।
ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି ।
ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ ।