ପାଳଲହଡା: ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମରେ ଘଟିଥିବା ଏକ ବୀଭତ୍ସ ଓ ଅମାନବୀୟ ଘଟଣା ପାଶବିକତାର ସମସ୍ତ ସୀମାସରହଦ ଟପିଯାଇଛି। ଏକ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ମୃତକ ନନ୍ଦିନୀପାଲି ଗ୍ରାମର ରମ୍ଭା ନାୟକ (୩୨) ବୋଲି ଜଣାପଡିଛି। ସେମାନଙ୍କର ୪ଟି ସନ୍ତାନ ଅଛନ୍ତି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥର ଗାଁରେ ବିଭିନ୍ନ ଲୋକଙ୍କ ଗାଈ ଚରାଇ ଏହି ଦମ୍ପତି ପେଟ ପୋଷିଥାନ୍ତି।
ସୂଚନାଯୋଗ୍ୟ ରମ୍ଭା ବିପିଏଲ୍ ଚାଉଳ ଉଠାଇବା ପାଇଁ ନିଜ ଗାଁକୁ ଯାଇ ଆଉ ଫେରି ନଥିଲେ। ସ୍ବାମୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ। ଗତକାଲି ସନ୍ଧ୍ୟାରେ କିଛି ପିଲା ଖେଳୁଥିବା ବେଳେ ଅଙ୍ଗନବାଡ଼ି ବାରଣ୍ଡାରେ ରମ୍ଭାଙ୍କ ଅଦ୍ଧ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିଥିଲେ। ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି। ମୃତଦେହରୁ ଗର୍ଭାଶୟ ଓ ଅନ୍ତନଳୀ ବାହାରି ପଡ଼ିଛି।
ମହିଳାଙ୍କୁ ଗଣ ବଳାତ୍କାର ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଛି। ପାଳଲହଡ଼ା ଥାନାଧିକାରୀ ପ୍ରଦୀପ କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ରମ୍ଭାଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସେ କହିଛନ୍ତି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।