Delhi CAG Report: ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, ୧୨ ମେଡିକାଲରେ ନାହିଁ ଆମ୍ବୁଲାନ୍ସ
CAG ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗରେ ମୋଟ 8,194 ପଦବୀ ଖାଲି ଅଛି। ନର୍ସିଂ ଷ୍ଟାଫଙ୍କ ସଂଖ୍ୟା 21% ହ୍ରାସ ପାଇଛି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବିଧାନସଭାରେ CAG ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଏବଂ ଏଥିରେ ଗୁରୁତର ତ୍ରୁଟି ଦେଖାଯାଇଥିବା ଦାବି କରାଯାଇଛି ।
ରିପୋର୍ଟ ଅନୁଯାୟୀ, କେନ୍ଦ୍ରରୁ ଆମ ଆଦମୀ ପାର୍ଟି ସରକାର ପାଇଥିବା ପାଣ୍ଠି ସମ୍ପୂର୍ଣ୍ଣ ବ୍ୟବହୃତ ହୋଇନାହିଁ । ହସ୍ପିଟାଲଗୁଡ଼ିକରେ ଶଯ୍ୟା ଏବଂ ଡାକ୍ତରଙ୍କ ଏକ ବଡ଼ ଅଭାବ ରହିଛି । ଅନେକ ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ନାହିଁ ଏବଂ ଅନେକ ସ୍ୱାସ୍ଥ୍ୟ ପ୍ରକଳ୍ପ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି ।
କୋଭିଡ୍ ଫଣ୍ଡର ସଠିକ ବ୍ୟବହାର ହୋଇନି- CAG ରିପୋର୍ଟ ଅନୁଯାୟୀ, କୋଭିଡ୍ ମୁକାବିଲା ପାଇଁ କେନ୍ଦ୍ର ସରକାର ଆମ ଆଦମୀ ପାର୍ଟି ସରକାରଙ୍କୁ 787.91 କୋଟି ଟଙ୍କା ଦେଇଥିଲେ । କିନ୍ତୁ ଏଥିରୁ କେବଳ 582.84 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବିଶେଷକରି, ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ଏବଂ ଔଷଧ କ୍ରୟ ପାଇଁ ମିଳିଥିବା ପାଣ୍ଠିର ଏକ ବଡ଼ ଅଂଶ ଅବ୍ୟବହୃତ ହୋଇ ପଡି ରହିଲା।
ରିପୋର୍ଟରେ ଦର୍ଶାଯାଇଛି ଯେ ୫୨ କୋଟି ଟଙ୍କା ମଧ୍ୟରୁ କେବଳ ୨୧.୪୮ କୋଟି ଟଙ୍କା କର୍ମଚାରୀ ନିଯୁକ୍ତି ପାଇଁ ଖର୍ଚ୍ଚ ହୋଇଛି । ସିଏଜି ରିପୋର୍ଟ ଅନୁଯାୟୀ, ରାଜଧାନୀ ଦିଲ୍ଲୀର ୧୪ ହସ୍ପିଟାଲରେ ଜରୁରୀକାଳୀନ ସେବା ICU ନଥିବା ବେଳେ ୧୨ ହସ୍ପିଟାଲରେ ଆମ୍ବୁଲାନ୍ସର ବ୍ୟବସ୍ଥା ନାହିଁ ।
ପିପିଇ କିଟ୍, ମାସ୍କ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ମିଳିଥିବା ୧୧୯.୮୫ କୋଟି ଟଙ୍କା ମଧ୍ୟରୁ ୮୩.୧୪ କୋଟି ଟଙ୍କା ଅବ୍ୟବହୃତ ହୋଇ ପଡି ରହିଛି । ଏହାର ଅର୍ଥ ହେଉଛି ଯେତେବେଳେ ଦିଲ୍ଲୀର ରୋଗୀମାନଙ୍କୁ ହସ୍ପିଟାଲରେ ଶଯ୍ୟା ଏବଂ ଔଷଧ ମିଳୁନଥିଲା, ସେତେବେଳେ ଆମ ଆଦମୀ ପାର୍ଟି ସରକାର ଟଙ୍କା ଥିବା ସତ୍ତ୍ୱେ ତାହା ଖର୍ଚ୍ଚ କରିନଥିଲା । ଯାହାକୁ ନେଇ ବର୍ତ୍ତମାନ ବିରୋଧାଭାବ ଦେଖାଯାଇଛି ।
ସରକାରୀ ହସ୍ପିଟାଲରେ ନାହିଁ ବେଡ୍- ଆମ ଆଦମୀ ପାର୍ଟି ସରକାର ୨୦୧୬-୧୭ ଏବଂ ୨୦୨୦-୨୧ ମଧ୍ୟରେ ୩୨,୦୦୦ ନୂତନ ଶଯ୍ୟା ଯୋଡିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେବଳ ୧,୩୫୭ ଶଯ୍ୟା ଯୋଡା ଯାଇଥିଲା, ଯାହା ଲକ୍ଷ୍ୟର ମାତ୍ର ୪.୨୪% । ପରିସ୍ଥିତି ଏତେ ଖରାପ ଯେ ଦିଲ୍ଲୀର ୧୬ଟି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୧୦୧% ରୁ ୧୮୯% ରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଅନେକ ରୋଗୀଙ୍କୁ ଗୋଟିଏ ଶଯ୍ୟାରେ ରଖାଯାଉଥିଲା କିମ୍ବା ତଳେ ଶୋଇବାକୁ ପଡୁଥିଲା।